ନୂଆଦିଲ୍ଲୀ,୧୦।୪: ଦେଶରେ କରୋନାର ସଂକ୍ରମଣ ବେକାବୁ ସ୍ଥିତିରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ମୁହାଁ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦେଶରେ ଲଗାତାର ଗତ ୪ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୪୫ ହଜାର ୩୮୪ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୭୯୪ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଭଳି ଧାରା ଜାରି ରହିଲେ ଆଉ ଗୋଟିଏ ଦିନ ପରେ ନୂଆ ଆକାନ୍ତଙ୍କ ସଂଖ୍ୟା ଦିନ ପିଛା ଦେଢ଼ଲକ୍ଷରେ ପହଞ୍ଚିବାର ଆଶଙ୍କା ଦେଖାଦେଇଛି। ମହାରାଷ୍ଟ୍ରରେ ସ୍ଥିତି ସଙ୍କଟଜନକ ହୋଇଛି। ଏଠାରେ ଗୋଟିଏ ଦିନରେ ୫୮ ହଜାର ୯୯୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ରାଜ୍ୟରେ ୩୦୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୮ ହଜାର ୫୨୧ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। କରୋନାର ଦ୍ୱିତୀୟ ଲହର ନିୟନ୍ତ୍ରଣ ହରାଉଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
Posted inକରୋନା ଭାଇରସ୍, ଜାତୀୟ