କରୋନା ନେଗେଟିଭ୍‌ ମା’ଙ୍କ ନବଜାତ ଶିଶୁ ପଜିଟିଭ୍‌ ଚିହ୍ନଟ

ବାରାଣସୀ,୨୮।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଥିବା ବେଳେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ କୁହାଯାଉଛି, ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବେ। ଇତିମଧ୍ୟରେ ଉତ୍ତରପ୍ରଦେଶ ବାରାଣସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ବାରାଣସୀ ସ୍ଥିତ ବିଏଚ୍‌ୟୁର ସର ସୁନ୍ଦରଲାଲ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା କରୋନା ନେଗେଟିଭ୍‌ ସତ୍ତ୍ୱେ ତାଙ୍କ ନବଜାତକ ଶିଶୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ଡାକ୍ତରଙ୍କ ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ମା’ ଓ ଶିଶୁଙ୍କ ପୁଣିଥରେ କରୋନା ଯାଞ୍ଚ କରାଯିବ ବୋଲି ବିଏଚ୍‌ୟୁ ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ଚନ୍ଦୋଲିରେ ରହୁଥିବା ଜଣେ ୨୬ବର୍ଷୀୟ ଗର୍ଭବତୀ ମହିଳା ମେ’୨୪ରେ ଭିଏଚ୍‌ୟୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭର୍ତ୍ତି ହେବା ପୂର୍ବରୁ ମହିଳାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ମେ’୨୫ରେ ମହିଳା ଜଣଙ୍କ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁ କନ୍ୟାଙ୍କ ଟେଷ୍ଟ କରାଯାଇଥିଲା। ସେଥିରେ ଶିଶୁଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଉକ୍ତ ହସ୍ପିଟାଲରେ ଗତ ୯ଦିନ ମଧ୍ୟରେ ଏହା ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ପ୍ରଥମ ମାମଲାରେ ଶିଶୁ କରୋନା ପଜିଟିଭ୍‌ ହେବା ସହ ଅନ୍ୟରୋଗରେ ପୀଡ଼ିତ ଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

Share