ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍‌ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ

ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି। ଏଠାକାର ୫୫ ବର୍ଷୀୟା ଜଣେ ମହିଳା ଲଗାତର କରୋନା ଟେଷ୍ଟ କରାଉଥିଲେ। ଏମିତିକି ଥରେ କି ଦୁଇ ଥର ନୁହେଁ ୧୦ ଥର ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ସତ୍ତ୍ୱେ ତାଙ୍କର କରୋନାରେ ମୃତ୍ୟୁ ଘଟିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏକ ରିପୋର୍ଟ ଅନୁଯାୟୀ, ଡେବ୍ରା ଶ ହର୍ନିଆ ନାମକ ଏହି ମହିଳା ଅପରେଶନ ପାଇଁ ରୟାଲ ଷ୍ଟକ୍‌ ୟୁନିଭରସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଠାରେ ତାଙ୍କର ଅପରେଶନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ସୁସ୍ଥ ଥିଲେ। ମାତ୍ର ହଠାତ୍‌ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। ଏହା ପରେ ସେ କୋମାକୁ ଚାଲିଗଲେ। ଦୁଇ ସପ୍ତାହ ହସ୍ପିଟାଲରେ ରହିବା ପରେ ପରପାରିକୁ ଚାଲିଗଲେ। ତାଙ୍କର ମୃତ୍ୟୁ କରୋନା ଯୋଗୁ ହୋଇଥିବା ଶୁଣି ପରିବାର ସଦସ୍ୟଙ୍କ ହୋସ୍‌ ଉଡ଼ିଯାଇଛି। କାରଣ ଡେବ୍ରାଙ୍କୁ ଯଦି କରୋନା ହୋଇଥିଲା, ତେବେ ତାଙ୍କୁ କୋଭିଡ୍‌ ଓ୍ବାର୍ଡରେ କାହିଁକି ରଖାଗଲା ନାହିଁ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି।

ତାଙ୍କ ପୁଅ କ୍ରିସ୍‌ କହିଛନ୍ତି, ମା’ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କର ପ୍ରତିଦିନ କୋଭିଡ୍‌ ଟେଷ୍ଟ୍‌ କରାଯାଉଥିଲା। ସବୁ ସମୟରେ ହିଁ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସୁଥିଲା। ତେବେ କେମିତି କରୋନାରେ ମୃତ୍ୟୁ ଘଟିଲା ବୋଲି ସେ କହିଛନ୍ତି। କ୍ରିସ୍‌ କହିଛନ୍ତି, ତାଙ୍କ ମୃତ୍ୟୁ ପ୍ରମାଣପତ୍ରରେ କରୋନାରେ ମୃତ୍ୟୁ ହୋଇଥିବା ଲେଖାଯାଇଛି। ଯାହା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବୋଲି ସେ ଅଭିଯୋଗ କରିଛନ୍ତି।

Share