କରୋନାର ଦ୍ୱିତୀୟ ଲହରଠାରୁ ଅଧିକ ବେଗରେ ବ୍ୟାପିବ ନୂଆ ଭାରିଏଣ୍ଟ ‘ଏକ୍ସଇ’

ନୂଆଦିଲ୍ଲୀ,୮ ।୪: ସାରା ବିଶ୍ୱରୁ କରୋନା ମହାମାରୀ ଶେଷ ହୋଇ ଆସୁଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ କମି କମି ଆସିଛି । ହେଲେ ଏହାରି ଭିତରେ ପୁଣିଥରେ ଭୟ ସୃଷ୍ଟି କଲାଣି କରୋନା ଭାଇରସ ଓମିକ୍ରନର ସବ ଭାରିଏଣ୍ଟ ‘ଏକ୍ସଇ’ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଏହା କରୋନାର ଦ୍ୱିତୀୟ ଲହରଠାରୁ ଅଧିକ ବେଗରେ ବ୍ୟାପିବ । ଏମିତିକି ଓମିକ୍ରନଠାରୁ ମଧ୍ୟ ଏହା ୧୦ ଗୁଣା ଦ୍ରୁତ ଗତିରେ ବ୍ୟାପିପାରେ । ହେଲେ ଏହା ଘାତକ ନୁହେଁ । ଭାରତରେ ଅଧିକାଂଶ ଲୋକେ କରୋନା ଟିକା ନେଇ ସାରିଥିବା ବେଳେ ପୂର୍ବରୁ ଅନେକ ଲୋକ ଦୁଇଟି ଲହରରେ ସଂକ୍ରମିତ ହୋଇ ସାରିଛନ୍ତି । ତେଣୁ ଭାରତରେ ଏହା ବିପଦ ସୃଷ୍ଟି କରିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି । ହେଲେ କୋଭିଡ ନିୟମର ପାଳନ କରିବା ଜରୁରୀ ବୋଲି ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ୪ ଏପ୍ରିଲକୁ ଦୀର୍ଘ ୭୧୫ ଦିନ ପରେ ୨୪ ଘଣ୍ଟାରେ ୧ ହଜାରରୁ କମ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଯାହା ଏକ ଭଲ ସଙ୍କେତ । ହେଲେ ଏହାପରେ ପୁଣିଥରେ ପ୍ରତିଦିନ ୧ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଏକାକି ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଉପରକୁ ଚାଲିଗଲାଣି ।

Share