ରହସ୍ୟରେ ରହିଯିବ କରୋନା ଉତ୍ପତ୍ତି, ଆମେରିକା ବି ପଛେଇଲା…

ଓ୍ବାଶିଂଟନ,୩୦।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ରୁଷିଆ ଏବଂ ଚାଇନାରେ ସଂକ୍ରମଣ ବଢୁଥିବାରୁ ପୁଣି ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ କିଭଳି ବ୍ୟାପିଲା ଏବଂ ଏହାର ଉତ୍ପତ୍ତି ହେଲା କିପରି ତାହା ବୋଧହୁଏ ରହସ୍ୟରେ ରହିଯିବ ବୋଲି ଏବେ ଆଶଙ୍କା ଦେଖାଦେଇଛି। ଏନେଇ ତଦନ୍ତ କରୁଥିବା ଆମେରିକା ବି ପଛେଇବା ଆରମ୍ଭ କରିଛି।

ଆମେରିକାର ଗୁପ୍ତଚର ସଂସ୍ଥା କହିଛି ଯେ କରୋନା ମହାମାରୀ କେଉଁଠୁ ଆସିଛି ଆମେ ହୁଏତ ଆଉ ଜାଣିବାକୁ ସକ୍ଷମ ହେବୁ ନାହିଁ। ଏକ ନୂତନ ରିପୋର୍ଟରେ କରୋନା ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷକୁ ଆସୁଥିବା କିମ୍ବା ଲ୍ୟାବରୁ ଲିକ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆମେରିକା ନ୍ୟାଶନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଓଡିଏନ୍‌ ଆଇ) ର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ,ଉଭୟ ପ୍ରାକୃତିକ ଉତ୍ପତ୍ତି ଏବଂ ଲ୍ୟାବ ଲିକ ଯଥାର୍ଥ ଅନୁମାନ। କିନ୍ତୁ କେଉଁ ସମ୍ଭାବନା ଅଧିକ କିମ୍ବା ଏକ ନିର୍ଦ୍ଦିଷ୍ଟ ମୂଲ୍ୟାଙ୍କନ କରାଯାଇପାରିବ କି ନାହିଁ ସେନେଇ ବିଶ୍ଳେଷକମାନେ ଏକମତ ନୁହଁନ୍ତି।

କରୋନା ଭାଇରସକୁ ବାୟୋ-ଅସ୍ତ୍ର ଭାବରେ ବର୍ଣ୍ଣନା କରାଯାଉଥିବା ରିପୋର୍ଟଗୁଡିକ ମଧ୍ୟ ଖାରଜ କରାଯାଇଛି। ଏହି ସିଦ୍ଧାନ୍ତର ସମର୍ଥକମାନଙ୍କର ଉୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ସହିତ ସିଧାସଳଖ କୌଣସି ସମ୍ପର୍କ ନାହିଁ। ଏହି ରିପୋର୍ଟ ଅଗଷ୍ଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପ୍ରଦାନ କରାଯାଇଥିବା ୯୦ ଦିନିଆ ସମୀକ୍ଷାର ଏକ ନୂଆ ଅପଡେଟ୍‌।

ଆମେରିକାର କେତେକ ଗୁପ୍ତଚର ଏଜେନ୍ସି କହିଥିଲେ ଯେ, ଏହି ଭୂତାଣୁ ପ୍ରକୃତିରୁ ଉତ୍ପନ୍ନ ହୋଇଥିଲେ ମଧ୍ୟ ଏହା ପ୍ରମାଣିତ ହୋଇନାହିଁ। ଓଡିଏନ୍‌ଆଇ ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ଚାରି ଗୁପ୍ତଚର ଏଜେନ୍ସି ଏବଂ ଏକ ମଲ୍ଟି ଏଜେନ୍ସି ସଂସ୍ଥା ନିଶ୍ଚିତ ନୁହଁନ୍ତି ଯେ କରୋନା ଭାଇରସ ସଂକ୍ରମିତ ପ୍ରାଣୀ କିମ୍ବା ଆନୁଷଙ୍ଗିକ ଭୂତାଣୁୁରୁ ଉତ୍ପନ୍ନ ହୋଇଛି। ଆମେରିକାର ଗୁପ୍ତଚର ସଂସ୍ଥା ବିଶ୍ୱାସ କରନ୍ତି ଯେ ସେମାନେ ନୂତନ ସୂଚନା ବିନା କରୋନାର ଉତ୍ପତ୍ତି ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ପ୍ରଦାନ କରିପାରିବେ ନାହିଁ।

ଅପରପକ୍ଷରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର କରୋନା ମହାମାରୀର ଉତ୍ପତ୍ତି ଘଟଣାର ଅନୁସନ୍ଧାନରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହ ସହଯୋଗ ନ କରିବାରୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏପର୍ଯ୍ୟନ୍ତ ଚାଇନା ଆମେରିକାର ଏହି ନୂତନ ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।

Share