ଚାଇନାରେ କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ଟପିବା ଆଶଙ୍କା…

ବେଜିଂ,୧୮।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଚାଇନାରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର ଜିରୋ କୋଭିଡ ନୀତିକୁ କୋହଳ କରିଛନ୍ତି। ଲୋକମାନେ ବର୍ତ୍ତମାନ କଟକଣାରୁ ଆରାମ ପାଉଥିଲେ ମଧ୍ୟ ଆଗାମୀ ସମୟରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ନୂତନ ବିଶ୍ଳେଷଣ ଅନୁଯାୟୀ, ଆସନ୍ତା କିଛି ମାସ ମଧ୍ୟରେ ଚାଇନାରେ ୨୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ। ଜଣେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ଚାଇନାରେ ପୂର୍ବରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ଯଦି ମୃତ୍ୟୁସଂଖ୍ୟା ଏହିପରି ବଢ଼େ ତେବେ ଏକ ଆନ୍ଦୋଳନ ହୋଇପାରେ ଯାହା ଦ୍ୱାରା ଜିନପିଙ୍ଗଙ୍କ ଶାସନର ସମାପ୍ତ ହୋଇପାରେ।

ହଂକଂର ଏୟାରଫିନିଟିର ତଥ୍ୟ ଅନୁସାରେ ଶୂନ କୋଭିଡ ନୀତି ରଦ୍ଦ ହେବା ପରେ ଏଠାରେ ମଧ୍ୟ ମାମଲା ବୃଦ୍ଧି ପାଇଥିଲା। ଏୟାରଫିନିଟି ମୁଖପାତ୍ର କହିଛନ୍ତି ଯେ ଆମର ବିଶ୍ଳେଷଣରୁ ଜଣାପଡିଛି ଯେ ଯଦି ହଂକଂ ପରି ଚାଇନାରେ କରୋନା ଲହର ହୁଏ, ତେବେ ଏହା ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ବଢ଼ାଇବ। ସମଗ୍ର ଦେଶରେ ୧୬ରୁ ୨୭ କୋଟି ମାମଲା ହୋଇପାରେ। ଯେଉଁଥିରେ ପ୍ରାୟ ୧୩ ରୁ ୨୧ଲକ୍ଷ ଲୋକ ମରିପାରନ୍ତି। ଆଗାମୀ ତିନି ମାସ ମଧ୍ୟରେ ଏହା ହୋଇପାରେ। ଆମର ବିଶ୍ଳେଷଣ କହିଛି ଯେ ଜାନୁଆରୀରେ ମାମଲା ସର୍ବାଧିକ ହେବ। ଆମେରିକାର ସିକାଗୋସ୍ଥିତ ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁମେଣ୍ଟର ନୂତନ ଆକଳନ ଅନୁଯାୟୀ ଚାଇନାରେ ହଠାତ କଡ଼ା କରୋନା କଟକଣାକୁ ହଟାଇବା ଦ୍ୱାରା ୨୦୨୩ ସୁଦ୍ଧା ଏକ କରୋନା ବିସ୍ଫୋରଣ ଘଟିପାରେ ଏବଂ ଏଥିରେ ବହୁ ଲୋକଙ୍କ ମୃତ୍ୟୁ ହୋଇପାରେ।

Share