ରାଞ୍ଚି, ୧୬।୮: ଝାଡ଼ଖଣ୍ଡରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ରାମଘର ଜିଲାରେ ଘଟିଯାଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୪୫ ବର୍ଷୀୟ ବିଜେନ୍ଦ୍ର ପ୍ରସାଦ ନିରାଲ। କଇଥା ଗ୍ରାମର ବିଜେନ୍ଦ୍ର ରାଞ୍ଚିରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ନିକଟରେ ସେ ଘରକୁ ଆସିଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ବିଜେନ୍ଦ୍ରଙ୍କ ସ୍ତ୍ରୀ ମଧ୍ୟ କରୋନା ଚିହ୍ନଟ ହୋଇଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀ ଏହାପରେ ନୟି ସରାଇ କେନ୍ଦ୍ରୀୟ ହସ୍ପିଟାଲର ସ୍ପେଶାଲ କୋଭିଡ୍ ସେଣ୍ଟରରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ଶନିବାର ରାତିରେ ସେ ଛାତର ୪ର୍ଥ ମହଲାରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ହସ୍ପିଟାଲକୁ ଆସିବା ପରେ ବିଜେନ୍ଦ୍ର ଚାପରେ ରହୁଥିଲେ। ଏପରିକି ସେ କାହା ସହ କଥାବର୍ତ୍ତା କରୁ ନ ଥିଲେ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।