ଚାପ ମୁକ୍ତ ପାଇଁ କୋଭିଡ କେୟାର ସେଣ୍ଟରରେ ଡ୍ୟାନ୍ସ କଲେ କରୋନା ରୋଗୀ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨୦।୭: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ କରୋନାକୁ ହରାଇ ସମସ୍ତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କିଛି ଏଭଳି କରିଦେଖାଇଛନ୍ତି କର୍ନାଟକର କୋଭିଡ ହସ୍ପିଟାଲର ସଂକ୍ରମିତ ରୋଗୀମାନେ। କର୍ନାଟକ ବେଲେରୀରେ ଥିବା କୋଭିଡ କେୟାର ସେଣ୍ଟରରୁ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ସମସ୍ତେ ଏହି ରୋଗୀମାନଙ୍କ ପାଇଁ ଗର୍ବିତ ଅନୁଭବ କରିବେ। ଭାଇରାଲ ହୋଇଥିବା ଭିଡିଓରେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଏକ ସାଉଥ୍‌ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କର୍ନାଟକ ବେଲେରୀରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ କେତେକ ଆକ୍ରାନ୍ତ କରୋନାକୁ ହରାଇ ସୁସ୍ଥ ହୋଇ ନିଜ ଘର ଅଭିମୂଖେ ବାହାରିବାକୁ ପ୍ରସ୍ତୁତ ହେଉଥିଲେ।

ତେବେ ଘରକୁ ଯିବା ପୂର୍ବରୁ ସମସ୍ତେ ଏକାଠି ହେବା ସହ ଅନ୍ୟ ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ସେମାନେ ଡ୍ୟାନ୍ସ କରିବାକୁ ମନସ୍ଥ କରିଥିଲେ। ସମସ୍ତ ରୋଗୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି ଏକ ସାଉଥ୍‌ ଗୀତର ତାଳେ ତାଳେ ଝୁମିଥିଲେ। ଏହି ଭିଡିଓ ଜରିଆରେ ସେମାନେ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି। ଯଦି କେହି କରୋନାରେ ଆକ୍ରାନ୍ତ ହୋଇଛନ୍ତି ତେବେ ତାଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ନିଜକୁ ମାନସିକ ସ୍ତରରେ ସୁସ୍ଥ ରଖିବା ସହ କରୋନାରୁ ଦୂରେଇ ରହିବା ପାଇଁ ମାସ୍କ ଲଗାଇବା ଏବଂ ବାରମ୍ବାର ହାତ ଧୋଇବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓ ଶେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ଏହାକୁ ୮୦ହଜାରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏଥିସହ ଏହି ଭିଡିଓକୁ ୭୪୩ରୁ ଊର୍ଦ୍ଧ୍ୱ ରିଟୁଇଟ ଓ ୪ହଜାରରୁ ଲାଇକ୍‌ ମିଳିସାରିଲାଣି।

Share