ମେଡିକାଲ କାନ୍ଥ ଡେଇଁ କରୋନା ଆକ୍ରାନ୍ତ ଚମ୍ପଟ୍‌

ନବରଙ୍ଗପୁର,୬।୭(ଡି.ଏନ.ଏ.)-ନବରଙ୍ଗପୁରସ୍ଥିତ କୋଭିଡ୍‌ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚମ୍ପଟ ମାରିଛନ୍ତି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। କୋଭିଡ୍‌ ହସ୍ପିଟାଲ କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ରବିବାର ସକାଳୁ ଫେରାର ହୋଇଯାଇଥିବା ନେଇ ଜିଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହା ମଧ୍ୟରେ ୨୪ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଧରିବାରେ ବିଫଳ ହୋଇଛି।
ପ୍ରକାଶ ଯେ, ଗତ ୩ ତାରିଖରେ ଉମରକୋଟ ବ୍ଲକ ବେନୋରା ପଞ୍ଚାୟତ ବେନୋରାଜାନିପାରା ଗ୍ରାମର ଦାମୋଦର ଜାନି(୫୦)ଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ପରେ ଜିଲା ପ୍ରଶାସନ ତାଙ୍କୁ ଘରୁ ଆଣି ନବରଙ୍ଗପୁରସ୍ଥିତ କୋଭିଡ୍‌ ହସ୍ପିଟାଲରେ ରଖି ଚିକିତ୍ସା ଚଳାଇଥିଲା। ଦୈନିକ ରୋଟିନ ଅନୁଯାୟୀ ସକାଳେ ୫.୫୦ରେ ତାଙ୍କର ଚେକ୍‌ଅପ୍‌ କରାଯାଇଥିଲା। କିନ୍ତୁ ସକାଳ ପ୍ରାୟ ୭ଟାରେ ପ୍ରାତଃଭୋଜନ ସମୟରେ ସେ ହସ୍ପିଟାଲରେ ନ ଥିଲେ। ପରେ ଦାମୋଦର ହସ୍ପିଟାଲ କାନ୍ଥ ଡେଇଁ କେଉଁଆଡ଼େ ଚାଲିଯାଇଥିବା ଜଣାପଡିଥିଲା। ଘଟଣାକୁ ୨୪ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏବେବି ପୋଲିସ ହାତ ଖାଲି। ଖୋଲାଖୋଲି ଭାବେ ଜଣେ କରୋନା ଆକ୍ରାନ୍ତ ବୁଲୁଥିବାରୁ ଲୋକେ ଏବେ ଭୟଭୀତ। ତୁରନ୍ତ ତାଙ୍କୁ ଧରିବାକୁ ଜିଲାବାସୀ ଦାବି କରିଛନ୍ତି।