କାନ୍ଧ ଦେଲେନି ପଡ଼ୋଶୀ: କରୋନା ରୋଗୀଙ୍କ ମୃତଦେହ ସତ୍କାର କଲେ ବିଡିଓ

କେସିଙ୍ଗା,୧୬।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ପଞ୍ଚାୟତର କୋକୋଡମାଲ ଗ୍ରାମର ଇନ୍ଦ୍ରମଣି ପଟ୍ଟନାୟକ କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଥିବାରୁ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ଉପସ୍ଥିତିରେ ରବିବାର ସକାଳେ ସ୍ବର୍ଗଦ୍ବାର ସଂଗଠନ କର୍ମକର୍ତ୍ତାଙ୍କ ମିଳିତ ଉଦ୍ୟମରେ ମୃତଦେହ ସତ୍କାର କରାଯାଇଛି। ମୃତଦେହ ସତ୍କାର ପାଇଁ ଗ୍ରାମର ଲୋକେ ତଥା ପଡ଼ୋଶୀ କେହି ବି ସହଯୋଗ ନ କରିବାରୁ ବିଡିଓ ମୃତକଙ୍କ ପୁଅ ମୃତଦେହ ସତ୍କାର ପାଇଁ ସାହାଯ୍ୟ ମାଗିଥିଲେ। ସର୍ଗଦ୍ୱାର ସଂଗଠନର ମୁଖ୍ୟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ତାଙ୍କର ଟିମ୍‌କୁ ନେଇ ଉକ୍ତ ଗାଁରେ ପହଞ୍ଚି ସତ୍କାର କରିଥିଲେ। ପ୍ରଶାସନ ତରଫରୁ କେସିଙ୍ଗା ବିଡିଓ, ଅତିରିକ୍ତ ତହସିଲଦାର ରୁଦ୍ରମୋହନ ନାୟକ,ସଦର ପୋଲିସର ଉପସ୍ଥିତିରେ ପିପିଇ କିଟ୍‌ ପିନ୍ଧି ସଂଗଠନର ସଦସ୍ୟମାନେ ଅତ୍ୟନ୍ତ ସୁରକ୍ଷିତ ଭାବରେ ମୃତଦେହ ସତ୍କାର କରିଥିଲେ । ଏହାକୁ ନେଇ ସଂପୃକ୍ତ ମୃତକ ପରିବାର ସଂଗଠନ ପ୍ରତି ଅଶେଷ କୃତଜ୍ଞତା ଜଣାଇଛନ୍ତି ।
ସ୍ବର୍ଗଦ୍ୱାର ସେବା ସଂଗଠନର ମୁଖ୍ୟ ମନୋଜ କୁମାର ପଟ୍ଟନାୟକ, ସଜନ କୁମାର ଅଗ୍ରୱାଲ,ମନୋଜ କୁମାର ଷଡ଼ଙ୍ଗୀ,ମିତ୍ରସେନ ଭୋଇ,ସରୋଜ ସାହୁ,ମୁଡିଙ୍ଗ ସରପଞ୍ଚ ଟଙ୍କ ଧର ନାୟକ,ସଞ୍ଜୀବ ନାୟକ,ହେମନ୍ତ କୁମାର ପ୍ରମୁଖ ମୃତଦେହ ସତ୍କାର କରିବାରେ ସହଯୋଗ କରିଥିଲେ।