ଏସ୍‌ସିବି ଆଇସୋଲେଶନ ୱାର୍ଡ: କରୋନା ରୋଗୀଙ୍କୁ ମିଳୁନି ଉନ୍ନତମାନର ଖାଦ୍ୟ

କଟକ ଅଫିସ,୧୮ା୧୦: ଏସ୍‌ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ଗତ ମାର୍ଚ୍ଚରେ ଆଇସୋଲେଶନ ୱାର୍ଡ ଖୋଲାଯାଇଥିଲା। ପ୍ରଥମ ୨ ମାସ ଏଠାରେ ରୋଗୀ ସଂଖ୍ୟା କମ୍‌ ଥିଲା। ହେଲେ ପରବର୍ତ୍ତୀ ସମୟରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିଲା। ଏପରି ପ୍ରତିଦିନ ପାଖାପାଖି ୪୦୦ ରୋଗୀ ଆସୁଥିବା ଜଣାପଡିଛି। ଏଠାରେ ଖାଇବା ଓ ପିଇବା ପାଣି ବାବଦରେ ଜଣେ ରୋଗୀଙ୍କ ପିଛା ଦୈନିକ ୨୪୦ ଟଙ୍କା ଅନୁମୋଦନ ହୋଇଛି। କଟକର ଉତ୍କଳ ସପ୍ଲାୟର୍ସ ନାମକ ସଂସ୍ଥାକୁ ଖାଦ୍ୟ ଯୋଗାଇବା ପାଇଁ ଅନୁମତି ଦିଆଯାଇଛି। ନିୟମ ମୁତାବକ ଉକ୍ତ ସଂସ୍ଥା ସକାଳ ଜଳଖିଆ, ମଧ୍ୟାହ୍ନଭୋଜନ, ସନ୍ଧ୍ୟାରେ ଚାହା ବିସ୍କୁଟ ଓ ରାତ୍ରି ଭୋଜନ ସହ ଦୈନିକ ୩ଟି ୧ ଲିଟିରିଆ ପାଣି ବୋତଲ ପ୍ରତ୍ୟେକ ରୋଗୀଙ୍କୁ ଯୋଗାଇବ। ଯାହା ଉକ୍ତ ସଂସ୍ଥା ମଧ୍ୟ ଚୁକ୍ତି ମୁତାବକ ନିରବଚ୍ଛିନ୍ନ ଭାବେ ଯୋଗାଉଥିଲା। କିନ୍ତୁ କିଛିଦିନ ହେବ ଆଉ ପୂର୍ବଭଳି ରୋଗୀମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ମିଳୁନି ବୋଲି କେତେଜଣ ରୋଗୀଙ୍କ ସମ୍ପର୍କୀୟ ପରିଚୟ ଗୋପନ ରଖି କହିଛନ୍ତି। ସେମାନେ କହିଛନ୍ତି, ଖାଦ୍ୟସୂଚୀରେ ଭଲ ଓ ଉଚ୍ଚ ମାନର ଖାଦ୍ୟ ରହୁନାହିଁ। ଏହା ବ୍ୟତୀତ ପିଇବା ପାଣିର ଅଭାବ ରହୁଛି। ପୂର୍ବରୁ ପ୍ରତିଦିନ ୩ ଲିଟର ପାଣି ମିଳୁଥିଲାବେଳେ ଏବେ ୨ଲିଟର ମିଳୁଛି।
ଏ ସମ୍ପର୍କରେ ଖାଦ୍ୟ ଯୋଗାଣକାରୀ ସଂସ୍ଥାର ମାଲିକ ଦେବେନ୍ଦ୍ର ସାହୁ କୁହନ୍ତି, ପ୍ରଥମ ୨ ମାସ ରୋଗୀ କମ୍‌ ଥିବା ସମୟରେ ପେମେଣ୍ଟ ପାଇଛୁ। କିନ୍ତୁ ଅବଶିଷ୍ଟ ୬ ମାସରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଟଙ୍କାଟିଏ ବି ପେମେଣ୍ଟ ମିଳିନି। ଆମେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧାର କରଜ କରିସାରିଲୁଣି। ପିଇବା ପାଣି ଯୋଗାଉ ଥିବା ସଂସ୍ଥା ଆମଠାରୁ ପେମେଣ୍ଟ ପାଇ ନ ଥିବାରୁ ପାଣି ବୋତଲ ଯୋଗାଉ ନାହିଁ। ଖୁବ୍‌ଶୀଘ୍ର ଏଥିରେ ସୁଧାର ଅଣାଯିବ। ଅନ୍ୟପକ୍ଷରେ ଆମକୁ କଷ୍ଟ ହେଉ ପଛେ ଏପର୍ଯ୍ୟନ୍ତ ଉନ୍ନତ ମାନର ଖାଦ୍ୟ ଯୋଗାଣରେ ସାଲିସ କରିନାହୁଁ।

Share