କରୋନା ରୋଗୀଙ୍କ ନିକଟରେ ରେକ୍ଟାଲ୍‌ ବ୍ଲିଡିଂ ଭୟ

ନୂଆଦିଲ୍ଲୀ,୩୦।୬: ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ କରୋନା ରୋଗୀଙ୍କ ନିକଟରେ ସାଂଘାତିକ ରେକ୍ଟାଲ ବ୍ଲିଡିଂ ବିପଦ ବଢ଼ିବାରେ ଲାଗିଛି। ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀର ୨ଟି ହସ୍ପିଟାଲରେ ଏଭଳି ୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ନିକଟରେ କରୋନାରେ ଆକ୍ରାନ୍ତ ହେବାର ୨୦ରୁ ୩୦ ଦିନ ପରେ ରେକ୍ଟାଲ ବ୍ଲିଡିଂ ସମସ୍ୟା ଦେଖାଦେଇଥିଲା। ତେବେ ଏହି ରେକ୍ଟାଲ ବ୍ଲିଡିଂ ସମସ୍ୟା କେବଳ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତି, କ୍ୟାନ୍ସର ଓ ଏଡ୍ସରେ ପୀଡ଼ିତ ରୋଗୀଙ୍କ ନିକଟରେ ଦେଖିବାକୁ ମିଳୁଛି। ଭାରତରେ ପ୍ରଥମ ଥର କୋଭିଡ ରୋଗୀଙ୍କ ନିକଟରେ ରେକ୍ଟାଲ ବ୍ଲିଡିଂ ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ସାଇଟୋମେଗାଲୋ ଭାଇରସ୍‌ ସହ ଜଡିତ ରହିଛି ବୋଲି ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ ପ୍ରଫେସର ଡ. ଅନୀଲ ଅରୋରା କହିଛନ୍ତି। ରେକ୍ଟାଲ ବ୍ଲିଡିଂ ମାମଲାରେ ରୋଗୀଙ୍କୁ ପେଟ ବ୍ୟଥା, ମଳତ୍ୟାଗ ସମୟରେ ରକ୍ତସ୍ରାବ ସମସ୍ୟା ଦେଖାଦେଇଥାଏ। କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସାରେ ଦିଆଯାଉଥିବା ଷ୍ଟେରୋଏଡ୍‌ ଏହାର ମୁଖ୍ୟ କାରଣ ହୋଇପାରେ ବୋଲି ଅନୀଲ ଅରୋରା ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗଙ୍ଗାରାମ ହସ୍ପିଟାରେ ଭର୍ତ୍ତି ହୋଇଥିବା ୫ଜଣ ରୋଗୀଙ୍କ ବୟସ ୩୦ରୁ ୭୦ ହୋଇଥିବା ବେଳେ ସମସ୍ତେ ଦିଲ୍ଲୀ-ଏନ୍‌ସିଆର ବୋଲି ଜଣାପଡ଼ିଛି। ସେଥିରୁ ୨ଜଣଙ୍କର ଅତ୍ୟଧିକ ରକ୍ତସ୍ରାବ ହେଉଥିଲା। ତେଣୁ ଜଣଙ୍କର ଜୀବନ ବଞ୍ଚାଇବା ପାଇଁ ବଡ଼ ଅପରେଶନ୍‌ କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଛି। ବାକି ଆଉ ୩ଜଣଙ୍କର ସଫଳତାର ସହ ଆଣ୍ଟିଭାଇରାଲ ଥେରାପି ଚିକିତ୍ସା କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।

Share