ନୂଆଦିଲ୍ଲୀ,୧୭।୮: କରୋନା ମହାମାରୀ ଏବେ ଦେଶର ସବୁ ପ୍ରାନ୍ତକୁ ମାଡି ଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ଅତିକ୍ରମ କରିଥିବା ବେଳେ ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ସୁସ୍ଥତା ହାର ଅଧିକ ରହିଛି ବୋଲି କୁହାଯାଉଛି। ହେଲେ ଯେଉଁ କରୋନା ପୀଡିତଙ୍କୁ ସୁସ୍ଥ ହୋଇଥିବା ଦର୍ଶାଇ ହସ୍ପିଟାଲରୁ ଛୁଟି ଦେଇ ଦିଆଯାଉଛି ପରେ ସେମାନଙ୍କ ନିକଟରେ ଆଉ କିଛି ଶାରୀରିକ ସମସ୍ୟା ଦେଖାଯାଉଥିବା ଅଭିଯୋଗ ହେଲାଣି। ଯେଉଁମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ସେମାଙ୍କୁ ଥକ୍କା ଲାଗିବା, ନିଶ୍ୱାସ ନେବାରେ କଷ୍ଟ ହେବା, ଫୁସ୍ଫୁସ୍ରେ ଯନ୍ତ୍ରଣା ହେବା ଏମିତିକି ଷ୍ଟ୍ରୋକ୍ ଭଳି ସମସ୍ୟା ଦେଖାଯାଉଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜଣେ ରୋଗୀ କରୋନାରୁ ସୁସ୍ଥ ହେବା ପରେ ଯେତେବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ସେତେବେଳେ ତାଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲେ ସୁଦ୍ଧା ଆଉ କିଛି ଶାରୀରିକ ସମସ୍ୟା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଡାକ୍ତର କହିଛନ୍ତି ତାଙ୍କ ଅକ୍ସିଜେନ ଲେବଲ କମ୍ ହୋଇଯିବାରୁ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲରେ କାର୍ଯ୍ୟରତ ସିନିୟର ଚେଷ୍ଟ ଫିଜିସିୟାନ ଡାକ୍ତର ଅରୁପ ବସୁ କହିଛନ୍ତି କରୋନା ଭାଇରସ ସିଧାସଳଖ ପୁସ୍ଫୁସ୍ ଉପରେ ପ୍ରଭାବ ପକାଇଥାଏ। ମୋଟା ଟିସୁ ଉପରେ ଥିବା ଚିହ୍ନ ଫୁସ୍ପୁସ୍କୁ ଠିକ୍ ଭାବେ କାମ କରିବାକୁ ଦେଇ ନ ଥାଏ। ଫଳରେ ରୋଗୀଙ୍କୁ ଅତିରିକ୍ତ ଅକ୍ସିଜେନର ଆବଶ୍ୟକତା ପଡିଥାଏ।
Posted inକରୋନା ଭାଇରସ୍, ଜାତୀୟ