ଏହି ରାଜ୍ୟରେ ଦେଖାଗଲା ବ୍ଲାକ୍‌ଫଙ୍ଗସ୍‌ର ପ୍ରଥମ ମାମଲା: ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୯।୫: କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ସାମ୍ନା କରୁଥିବା ଦିଲ୍ଲୀରେ ଏବେ ବ୍ଲାକ୍‌ ଫଙ୍ଗସ୍‌ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏଥିଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମେ’ ୧୬ରେ ଦିଲ୍ଲୀର ବେଶ୍‌ ଜଣାଶୁଣା ମୁଲଚନ୍ଦ ହସ୍ପିଟାଲରେ ଏହି ମାମାଲା ଦେଖିବାକୁ ମିଳିଛି। ଏନେଇ ହସ୍ପିଟାଲର ଜଣେ ଡାକ୍ତର ଭଗବାନ ମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମିରଟର ଜଣେ ୩୭ବର୍ଷୀୟ ବ୍ୟକ୍ତି ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେ ଘରେ ହୋମ୍‌ ଆଇସୋଲେଶନ୍‌ରେ ରହି ଚିକିତ୍ସିତ ହେଉଥିଲେ। ପରେ ତାଙ୍କର ଆଖି ଓ ମୁହଁ ଫୁଲି ଯାଇଥିବା ବେଳେ ନାକରୁ ରକ୍ତସ୍ରାବ ହେବା ସହ ଆଖି ଲାଲ ହୋଇଯାଇଥିଲା। ଏହାପରେ ତାଙ୍କୁ ମୁଲଚନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସମସ୍ତ ଯାଞ୍ଚ କରାଯାଇଥିବା ବେଳେ ଏହା ବ୍ଲାକ୍‌ଫଙ୍ଗସ୍‌ର ଲକ୍ଷଣ ବୋଲି ଜଣାପଡ଼ିଥିଲା। ଡାକ୍ତର ତାଙ୍କର ଅପରେଶନ୍‌ କରିବା ସହ ଅନ୍ୟାନ୍ୟ ଚିକିତ୍ସା କରିଥିଲେ। ହେଲେ ହୃଦ୍‌ଘାତରେ ତାଙ୍କର ଜୀବନ ଚାଲିଯାଇଥିଲା ବୋଲି ଡାକ୍ତର ମନ୍ତ୍ରୀ କହିଛନ୍ତି।

Share