ଆଇଆଇସି, ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କୁ କରୋନା: ବଡ଼ମ୍ବା ବ୍ଲକକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବଡ଼ମ୍ବା,୨୮ା୬(ଡି.ଏନ୍‌.ଏ.)- କଟକ ଜିଲା ବଡ଼ମ୍ବା ଅଞ୍ଚଳରେ କରୋନା କାୟା ବିସ୍ତାର କରୁଛି। ଶନିବାର ରାତିରେ ବଡ଼ମ୍ବା ଥାନା ଆଇଆଇସି ଓ ରବିବାର ଜାତୀୟ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଆକାଉଣ୍ଟାଣ୍ଟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ବଡ଼ମ୍ବାସ୍ଥିତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ୪ ଜଣ ପ୍ରବାସୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଶ୍ରମିକ ରହିଛନ୍ତି। ପ୍ରବାସୀମାନେ ବଡମ୍ବା ବ୍ଲକର ବୃନ୍ଦାବନପୁର, ପଦ୍ମନାଭପୁର, କୁଅଁାରପାଳ ଓ ଝାଜିଆ ଆଦି ଅଞ୍ଚଳର ହୋଇଥିବା ବେଳେ ରାଞ୍ଚତ୍, ବେଙ୍ଗାଲୁରୁ ଓ ମହାରାଷ୍ଟ୍ର ଆଦି ଅଞ୍ଚଳରୁ ଫେରିଥିଲେ। ରିପୋର୍ଟ ଆସିବା ପରେ ଥାନା ଆଇଆଇସିଙ୍କ ସମେତ ୪ ପ୍ରବାସୀଙ୍କୁ କଟକସ୍ଥିତ କୋଭିଡ଼୍‌ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କ ଘର ଢେଙ୍କାନାଳ ଜିଲାରେ ହୋଇଥିତ୍ବାରୁ ତାଙ୍କୁ ସେଠାକାର କୋଭିଡ୍‌ ଚିକିତ୍ସାଳୟରେ ରଖାଯାଇଛି। ସଂକ୍ରମଣ ରୋକିବା ପାଇଁ ବଡ଼ମ୍ବା ବ୍ଲକକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ନିୟମ ସୋମବାର ଦିନ ୧୦ଟାରୁ ଲାଗୁ ହେବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉଛି। ଥାନା ଅଧିକାରୀ ଓ ବ୍ୟାଙ୍କ ଆକାଉଣ୍ଟାଣ୍ଟ ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଥାନା କର୍ମଚାରୀ, ଚିକିତ୍ସା କର୍ମଚାରୀ, ଖବରଦାତା, ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଆଦି ୫୦ ଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ଏହାଛଡ଼ା ଆଠଗଡ଼ ଏସ୍‌ଡିପିଓ, କଟକ ଜିଲା ଆଡିଶନାଲ ଏସ୍‌ପିଙ୍କ ମଧ୍ୟ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି। ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ସେଠାକାର ସ୍ଥିତି ଅନୁଧ୍ୟାନ କରି ଏକ ଜରୁରି ବୈଠକ କରିଛନ୍ତି।