ମାନିଲେ ମମତା

କୋଲକାତା,୪ ।୧୦: କରୋନା ମହାମାରୀ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି । ପଶ୍ଚିମବଙ୍ଗରେ କରୋନା ଭାଇରସର ସଂକ୍ରମଣକୁ ନେଇ ବହୁ ସମୟରେ ପ୍ରଶ୍ନ ଉଠୁଥିବା ବେଳେ ସେଠାରେ କିନ୍ତୁ ସ୍ଥିତି ସ୍ୱାଭାବିକ ଥିବା କହି ଆସୁଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କିନ୍ତୁ ଏବେ ସ୍ଥିତି ଅଣାୟତ ହେବା ଫଳରେ ମମତା କହିଛନ୍ତି ପଶ୍ଚିମବଙ୍ଗରେ କରୋନା ଭାଇରସର କମ୍ୟୁନିଟି ସ୍ର୍ପ୍ରେଡ ବା ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି । ଆଗକୁ ଦଶହରା ଆସୁଥିବାରୁ ଲୋକଙ୍କ ଗହଳିକୁ ନଜରରେ ରଖି ମମତା ଏପରି କହିଥିବା କୁହାଯାଉଛି । ମମତା କହିଛନ୍ତି ଏବେ ଆମେ କରୋନା ମଧ୍ୟରେ ରହିଛୁ । ଏହି କରୋନା ସଂକ୍ରମଣରେ ୩ଜଣ ବିଧାୟକଙ୍କର ମଧ୍ୟ ମୃତ୍ୟୁ ହୋଇ ସାରିଲାଣି । ତେବେ କରୋନା ସଂକ୍ରମଣ ପାଇଁ ମମତା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଦାୟୀ କରିଛନ୍ତି । ସେ କହିଛନ୍ତି କରୋନା ସମୟରେ ଆମେ କୌଣସି ରାଲି କରି ନ ଥିବା ବେଳେ ଭାଜପା କିନ୍ତୁ ରାଲିର ଆୟୋଜନ କରି କରୋନା ସଂକ୍ରମଣକୁ ବଢାଇଛି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଏବେ ୨ଲକ୍ଷ ୬୬ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି । ସେହିପରି ଏଠାରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୫ ହଜାରରୁ ଅଧିକ ରହିଛି ।

Share