ରାଜଧାନୀରେ କଡ଼ାକଡ଼ି ହେବ କରୋନା କଟକଣା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଆଉ କିଛିଦିନ ପରେ କରୋନା ମହାମାରୀକୁ ବର୍ଷେ ପୂରିବାକୁ ଯାଉଛି। ଦୀର୍ଘଦିନର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଯନ୍ତ୍ରଣା ପରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ କୋଭିଡ୍‌ ଟିକା ଆଶ୍ୱସ୍ତି ଦେଇଛି। ଲୋକେ ସ୍ବାଭାବିକ ଜୀବନ ଆରମ୍ଭ କରୁଥିବାବେଳେ ଏହି ମହାମାରୀ ପୁଣି ଡରାଇଛି। ମହାରାଷ୍ଟ୍ର ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ କରୋନା ପୁଣି ଫେରିଥିବାରୁ ଓଡ଼ିଶାରେ ଭୟ ଓ ଆଶଙ୍କା ପରିସ୍ଥିତି ଉପୁଜିଛି। ବିଶେଷକରି ଜନଗହଳିପୂର୍ଣ୍ଣ ସହର ଭୁବନେଶ୍ୱରକୁ ଏପରିସ୍ଥିତିରୁ ରକ୍ଷା କରିବା ପାଇଁ କମିଶନଟରେଟ ପୋଲିସ ପୁଣି ଅଣ୍ଟା ଭିଡିଛି। ସହରରେ ଭିଡ଼ ବଢ଼ୁଥିବାବେଳେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ କଟକଣାକୁ ପୁଣି କଡ଼ାକଡ଼ି କରାଯିବ ଓ ଅମାନିଆଙ୍କୁ ଜଗିବାକୁ ସ୍ବତନ୍ତ୍ର ଟିମ୍‌ ଗଠନ ହେବ। ଏଥିସହ ନିଜ ଥାନା ଅଞ୍ଚଳରେ ଆଲର୍ଟ ରହିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ଡିସିପି ଉମାଶଙ୍କର ଦାଶ ନିର୍ଦ୍ଦେଶ ଦେଇଛନ୍ତି।

ବାହାର ରାଜ୍ୟରୁ ଭୁବନେଶ୍ୱର ଦେଇ ଓଡ଼ିଶାକୁ ହଜାର ହଜାର ଲୋକ ଆସୁଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ୁଥିବା ରାଜ୍ୟରୁ ମଧ୍ୟ ଓଡ଼ିଆଙ୍କ ଯିବାଆସିବା ଲାଗି ରହିଛି। ଏମାନଙ୍କୁ ଚିହ୍ନଟ କରିବା ସହ ନଜର ରଖିବା କଷ୍ଟକର ହୋଇପଡୁଥିବାରୁ କମିଶନରେଟ୍‌ ପୋଲିସ ପକ୍ଷରୁ ସହରରେ କଟକଣା କଡ଼ାକଡ଼ି କରିବ। ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୂରତା ପାଳନ କରିବା ଭଳି କୋଭିଡ୍‌-୧୯ ନିୟମକୁ ପାଳନ କରିବାକୁ ଗୁରୁତ୍ୱ ଦିଆଯିବ। ସହରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଦୋକାନ ବଜାର, ଶପିଂ ମଲ୍‌, ମନ୍ଦିର, ପାର୍କ ଆଦି ସ୍ଥାନରେ ଭିଡ ନ ଜମାଇବାକୁ ଡିସିପି ଦାଶ ଚେତାବନୀ ଦେଇଛନ୍ତି। ଫେବ୍ରୁୟାରୀ ମାସ ପାଇଁ ଲାଗୁ କରାଯାଇଥିବା ଗାଇଡ୍‌ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଲୋକ କଟକଣା ଖିଲାପ କଲେ ପୂର୍ବଭଳି ତାଙ୍କଠାରୁ ଜରିମାନା ଆଦୟ କରାଯିବ ବୋଲି ସେ କହିଛନ୍ତି।

Share