ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ସରକାର ଚିନ୍ତିତ ରହିଛନ୍ତିି। ରାଜଧାନୀ ଦିଲ୍ଲୀକୁ ପୁଣି କରୋନା ଫେରିଛି। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୫୦୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୭୯ ହଜାର ୫୬୯ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୪ ହଜାର ୪୮୧ ଛୁଇଁଛି। ଦୁଇ ମାସ ମଧ୍ୟରେ ପୁଣି ଏଠାରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ରାଜ୍ୟରେ ଲକ୍ଷେ ୫୮ ହଜାର ୫୮୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୬ ହଜାର ୫୦୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ବୁଧବାର ଗୋଟିଏ ଦିନରେ ୨୮ ହଜାର ୮୩୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ନମୁନା ପରୀକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯିବାର ଯୋଜନା ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।