କରୋନା ପୁଣି ଫେରିଲା, ୫ କୋଟି ଲୋକ ଘରେ ବନ୍ଦ…

ବେଜିଂ, ୧୬।୩ : କରୋନା ମହାମାରୀ ପୁଣି ଚାଇନାକୁ ଫେରିଛି। ଗତ ତିନି ଦିନ ଧରି ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୨୮୦ ନୂତନ ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ୩,୫୦୭ ଘରୋଇ ମାମଲା ବୋଲି ଚିହ୍ନଟ କରାଯାଇଛି। ଉହାନରେ ମହାମାରୀ ଆରମ୍ଭ ହେବା ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ସଂକ୍ରମଣ ସଂଖ୍ୟା।

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଚାଇନା ୧୩ ଟି ସହର ଏବଂ ଜିଲାରେ ଲକ୍‌ ଡାଉନ୍‌ ଘୋଷଣା କରିଛି। ସୂଚନା ଅନୁଯାୟୀ, କରୋନାର ଓମିକ୍ରନ ଭାରିଆଣ୍ଟ୍‌ର ନୂତନ ରୂପ ଷ୍ଟିଲଥ୍‌ ଓମିକ୍ରନ୍‌ ଦେଶରେ ବ୍ୟାପିଛି। କରୋନା କାରଣରୁ ଲାଗୁ ହୋଇଥିବା ଲକ୍‌ଡାଉନ ଦ୍ୱାରା ୫ କୋଟି ଲୋକ ସେମାନଙ୍କ ଘରେ ବନ୍ଦୀ ହୋଇ ରହିଛନ୍ତି। ନୂଆ ସଂକ୍ରମଣ ଦ୍ୱାରା ଜିଲିନ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି।

ଏହା ବ୍ୟତୀତ ଚାଇନାର ବୈଷୟିକ ହବ କୁହାଯାଉଥିବା ଶେନଜେନ ପ୍ରଦେଶରେ ମଧ୍ୟ କଡା ପ୍ରତିବନ୍ଧକ ଲଗାଯାଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ମାର୍ଚ୍ଚ ୧୨ ପୂର୍ବରୁ ସାଂଘାଇର ଦୁଇଟି ଏବଂ ଶେନଜେନର ଗୋଟିଏ ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ପରୀକ୍ଷଣକୁ ବ୍ୟାପକ କରାଯାଇଛି।

ଜିଲିନ ପ୍ରଦେଶର ଲୋକମାନେ ଏପର୍ଯ୍ୟନ୍ତ ୬ଟି ରାଉଣ୍ଡ ଯାଞ୍ଚ ଶେଷ କରିଛନ୍ତି। ଏହି ପ୍ରସ୍ତୁତି ଦର୍ଶାଏ ଯେ ଚତୁର୍ଥ ଲହର ପ୍ରାୟ ଏକ ମାସ ଧରି ଚାଇନାରେ ବ୍ୟାପିବାରେ ଲାଗିଛି। ଉତ୍ତର କୋରିଆ ସୀମାରେ ଅବସ୍ଥିତ ଚାଇନାର ଜିଲିନ ପ୍ରଦେଶର ଲୋକଙ୍କ ଉପରେ ଏବଂ ଏହାର ଆଖପାଖ ଅଞ୍ଚଳ ଲୋକଙ୍କ ଉପରେ ଯାତ୍ରା ନିଷେଧାଦେଶ ଲାଗୁ କରାଯାଇଛି।

ଜରୁରୀକାଳୀନ ବୈଠକରେ ଜିଲିନ୍‌ ର ରାଜ୍ୟପାଳ ଏକ ସପ୍ତାହ ମଧ୍ୟରେ ଶୂନ କୋଭିଡ ଟାର୍ଗେଟ ସ୍ଥିର କରିଛନ୍ତି। ସିକ୍ରେଟ ଓମିକ୍ରନ (ବିଏ.୨) ଚାଇନାରେ ଦ୍ରୁତ ବେଗରେ ବ୍ୟାପି ଚାଲିଛି। ଏହା ମୂଳ ଓମିକ୍ରନ ଫର୍ମ ଅପେକ୍ଷା ଦଶ ଗୁଣା ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି।

Share