ୟୁରୋପକୁ ଫେରିଲା କରୋନା, ଅଷ୍ଟ୍ରିଆରେ ୨୦ ଦିନିଆ ଲକ୍‌ଡାଉନ୍‌…

ଓ୍ବାଶିଂଟନ,୨୩।୧୧: ୟୁରୋପକୁ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଗତ ସପ୍ତାହରେ ୟୁରୋପୀୟ ଦେଶମାନଙ୍କରେ କରୋନା ମହାମାରୀ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏକ ସପ୍ତାହ ମଧ୍ୟରେ ସର୍ବାଧିକ ସଂଖ୍ୟକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ଚେତାବନୀ ଜାରି ହୋଇଛିି। ସୂଚନା ଅନୁଯାୟୀ, ନିକଟରେ ପ୍ରାୟ ୨୦ ଲକ୍ଷ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨୭ ହଜାର ଟପିଛି।

ବ୍ରିଟେନ, ଚାଇନା ଏବଂ ଆମେରିକାରେ କରୋନା ମାମଲା ପୁଣି ବଢ଼ି ଚାଲିଛି।  ୟୁରୋପୀୟ ଦେଶ ଅଷ୍ଟ୍ରିଆରେ ୨୦ ଦିନିଆ ଲକଡାଉନ୍‌ ଘୋଷଣା କରାଯାଇଛି। ଲକଡାଉନ୍‌ ସହିତ ଲୋକଙ୍କ ଉପରେ କଟକଣା ଲଗାଯାଇଛି। ଅନାବଶ୍ୟକ ଭାବରେ ବାହାରକୁ ଯିବାକୁ ବାରଣ କରାଯାଇଛି।

ସେହିପରି ରେଷ୍ଟୁରାଣ୍ଟ ଏବଂ ଅଧିକାଂଶ ଦୋକାନକୁ ବନ୍ଦ ରଖାଯାଇଛି। ଏହି ସମୟରେ ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଉପରେ ରୋକ ଲଗାଯାଇଛି। ଯଦିଓ ଏହି ସମୟ ମଧ୍ୟରେ ବିଦ୍ୟାଳୟ ଏବଂ ଡେ-କେୟାର ସେଣ୍ଟର ଖୋଲା ରହିବ, ମାତ୍ର ପିଲାମାନଙ୍କୁ ଘରେ ରଖିବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ପାଠପଢ଼ା ଅନ୍‌ ଊାଇନ୍‌ରେ କରାଯିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।

୧୩ ଡିସେମ୍ବର ପର୍ଯ୍ୟନ୍ତ ଲକ୍‌ଡାଉନ ବଳବତ୍ତର ରହିବ। ପରେ ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ୟୁରୋପର ବିଭିନ୍ନ ଦେଶ ପୁଣି ଥରେ ସଂକ୍ରମଣର କେନ୍ଦ୍ର ପାଲଟି ଥିବାରୁ ଜର୍ମାନୀରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି। ଚତୁର୍ଥ ଲହର ଦେଶରେ ପହଞ୍ଚିଛି ବୋଲି ସରକାର ସ୍ବୀକାର କରିଛନ୍ତି।

Share