କରୋନା ବାୟୁରେ ବ୍ୟାପୁଛି: ପ୍ରମାଣକୁ ସ୍ବୀକାର କଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୮।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଆଗାମୀ ଦିନରେ ଏହା ସଙ୍କଟ ସୃଷ୍ଟି କରିବା ନିଶ୍ଚିତ ହୋଇଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ବାୟୁରେ ବ୍ୟାପୁଥିବା ପ୍ରମାଣିକ ତଥ୍ୟକୁ ସ୍ବୀକାର କରାଯାଇଛି। ଫଳରେ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୂର୍ବରୁ ୩୨ ଦେଶର ୨୩୯ ବୈଜ୍ଞାନିକ ଦାବି କରିଥିଲେ ଯେ, କରୋନା ଭୂତାଣୁ ବାୟୁ ଦ୍ୱାରା ବି ବ୍ୟାପିପାରେ। ଏନେଇ ଶୀଘ୍ର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆବଶ୍ୟକ ମାର୍ଗଦର୍ଶିକା ଜାରି କରୁ ବୋଲି ବୈଜ୍ଞାନିକମାନେ କହିଥିଲେ। ଏସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଟେକ୍ନିକାଲ ମୁଖ୍ୟ ଡ.ବେନେଡେଟା ଆଲେଗ୍ରାଞ୍ଜି କହିଛନ୍ତି ଯେ, କରୋନା ବାୟୁରେ ବ୍ୟାପୁଥିବାର ପ୍ରମାଣ ତ ମିଳୁଛି। ତେବେ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏଭଳି ମନ୍ତବ୍ୟ ଯୋଗୁ କରୋନା ମହାମାରୀ ସଂକ୍ରମଣ ନେଇ ବିଭିନ୍ନ ଦେଶ ସରକାର ଭୟଭୀତ ହୋଇ ଯାଇଛନ୍ତି।

Share