ଅସହ୍ୟ ଗରମ ଯୋଗୁ ଶୀଘ୍ର ବ୍ୟାପୁଛି କରୋନା: ଭାରତୀୟ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ତଥ୍ୟ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଖରା ଦିନରେ ହେଉଥିବା ଅସହ୍ୟ ଗରମ ଯୋଗୁ କରୋନା ଭୁତାଣୁ ସଂକ୍ରମଣ ଶୀଘ୍ର ବ୍ୟାପୁଥିବା ୧୭ ଜଣ ଭାରତୀୟ ବୈଜ୍ଞାନିକ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ଆକ୍ରାନ୍ତଙ୍କ ନିଶ୍ୱାସରେ ବାହାରକୁ ଆସୁଥିବା ଜଳକଣା ଶୀଘ୍ର ବାଷ୍ପରେ ପରିଣତ ହେଉଛି। ଏହା ସୂକ୍ଷ୍ମ କଣିକାରେ ପରିଣତ ହୋଇ ବାୟୁ ମଣ୍ଡଳରେ ଘୂରି ବୁଲି ସୁସ୍ଥ ଲୋକଙ୍କୁ ଆକ୍ରାନ୍ତ କରୁଛି। ତେବେ ମାସ୍କ୍‌ ପିିନ୍ଧିଥିବା ଲୋକଙ୍କ କ୍ଷେତ୍ରରେ ସଂକ୍ରମଣ ସଂଖ୍ୟା କମ ରହୁଥିବା ହାଇଦ୍ରାବାଦ୍‌ର ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ଗବେଷକମାନେ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କବାଟ ଝରକା ବନ୍ଦ ଥିବା ଘରେ ଆକ୍ରାନ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଗଲେ ଏହା ଅଧିକ କ୍ଷତିକାରକ ହୋଇଥାଏ। କିନ୍ତୁ ଘରେ ବାୟୁ ଚଳାଚଳ ହେଲେ ସଂକ୍ରମଣ ଆଶଙ୍କା କମ ରହିଥାଏ ବୋଲି ବୈଜ୍ଞାନିକମାନେ ରିପୋର୍ଟରେ ଦର୍ଶାଇଛନ୍ତି। ଆକ୍ରାନ୍ତଙ୍କ ୨-୩ ମିଟର ମଧ୍ୟରେ ବିନା ମାସ୍କ୍‌ରେ ରହିଥିବା ବ୍ୟକ୍ତି ବିଶେଷଙ୍କୁ ବାୟୁରେ ଉଡ଼ି ବୁଲୁଥିବା କରୋନା ଭୁତାଣୁ ସହଜରେ ଆକ୍ରାନ୍ତ କରିବାର ଆଶଙ୍କା ରହିଥାଏ । ବାୟୁ ମଣ୍ଡଳରେ କରୋନା ଭୁତାଣୁ ୨ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ମାତ୍ର ବାୟୁ ଚଳାଚଳ କରୁଥିବା ଅଞ୍ଚଳରେ ଭୁତାଣୁ ଗୋଟିଏ ସ୍ଥାନରେ ନ ରହି ଭାସି ବୁଲେ। କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ହସ୍ପିଟାଲଠାରୁ ଦୂରେଇ ରହିବା ଆବଶ୍ୟକ। ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ହସ୍ପିଟାଲକୁ ସାଧାରଣ ଚିକିତ୍ସା କେନ୍ଦ୍ରଠାରୁ ଦୂରରେ ରଖାଯାଉଥିବା ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ନିର୍ଦ୍ଦେଶକ ଡ, ରାକେଶ କୁମାର ମିଶ୍ରା କହିଛନ୍ତି। ଘରେ କେହି କରୋନା ପଜିଟିଭ୍‌ ହେଲେ ତାଙ୍କୁ ଅଲଗା ରଖିବା ସହିତ ସମସ୍ତେ ମାସ୍କ୍‌ ପିନ୍ଧିବା ଜରୁରୀ। ବାୟୁ ଚଳାଚଳ କରୁଥିବା କାର୍ଯ୍ୟାଳୟରେ କରୋନା ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ ବୋଲି ସେ ପରାମର୍ଶ ଦେଇଛନ୍ତି। କରୋନା ଭୁତାଣୁ ସଂକ୍ରମଣ ନେଇ ଡ. ଶିବରଞ୍ଜନ, ଡ. ଟି, ଶରଥଚନ୍ଦ୍ର, ଡ. ଅରୁଶୀ ଗୋଏଲ୍‌, ଡ. ଭୁବନେଶ୍ୱର ଠାକୁର, ଡ. ଗୁରୁପ୍ରୀତ୍‌ ସିଂ ଭଲ୍ଲା, ଡ. ଦିନେ୍‌ା କୁମାର, ଡ. ଦିଗବିଜୟ ସିଂ ନୁରୁକା, ଡ. ଅଶ୍ୱିନୀ କୁମାର, ଡ. ଅମିତ ତୁଲି, ଡ. ସ୍ବାତୀ ସୁରାଭାରମ୍‌, ଡ. ତ୍ରିଲୋକଚାନ୍ଦ ବିଙ୍ଗି ପ୍ରମୁଖ ଗବେଷଣା କରୁଥିଲେ। ଏଥିରେ ଡ. ଶ୍ରୀନିବାସ ଏମ୍‌. , ଡ.ରାଜାରାଓ, ଡ. କ୍ରିଷ୍ଣା ରେଡ୍ଡୀ, ଡ. ସଞ୍ଜିବ୍‌ ଖୋସଲା, ଡ. କାର୍ତ୍ତିକ ଭରଦ୍ୱାଜ ମଧ୍ୟ ସାମିଲ ଥିଲେ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।

Share