କରୋନା: କଟକଣା ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ

କଟକ ଅଫିସ, ୧୮ା୯: ଲକ୍‌ଡାଉନ ଉଠିଯିବା ପରେ କରୋନା କଟକଣାକୁ ଅଧିକାଂଶ ମାନୁନାହାନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣିତ ହେବାରେ ଲାଗିଛି। ବିଶେଷକରି କଟକ ଓ ଭୁବନେଶ୍ୱରରେ ସ୍ଥିତି ଜଟିଳ ହୋଇପଡୁଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଡିଜିପି ଅଭୟ। ଉଲ୍ଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସ କମିଶନର, ଡିସିପି ଓ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଡିଜିପିଙ୍କ କଟକସ୍ଥିତ କାର୍ଯ୍ୟାଳୟରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ପଦାଧିକାରୀଙ୍କ ସହ ଡିଜିପି ଦ୍ୱୈତନଗରୀର ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ବୈଠକରୁ ମିଳିଥିବା ସୁଚନାନୁସାରେ, କରୋନା କଟକଣା ସମ୍ବନ୍ଧୀୟ ଆଇନଗତ କାର୍ଯ୍ୟକାରିତାକୁ ବଜାର ଓ ନିର୍ଦ୍ଦିଷ୍ଟ ହଟସ୍ପଟ୍‌ଗୁଡ଼ିକରେ କଠୋର ଭାବେ ଗ୍ରହଣ କରାଯିବ। ଏବେ ସବୁଠି ଭିଡ଼ ଦେଖିବାକୁ ମିଳୁଛି। ଦୋକାନ ଓ ଶପିଂ ମଲ୍‌ରେ ଗାଇଡ୍‌ଲାଇନ୍‌ ପାଳନ ହେଉନି। କଟକଣା ଉଲ୍ଲଂଘନ ହେଉଥିବାରୁ ବ୍ୟାପକ ଚଢାଉ କରାଯିବ। କଟକଣା ଭାଙ୍ଗୁଥିବା ବ୍ୟକ୍ତି, ଦୋକାନୀଙ୍କଠାରୁ ଜରିମାନା ଆଦାୟ କରାଯିବ। ଏସବୁ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଅଧିକ ୫୦ ପୋଲିସ ଅଧିକାରୀ ନିୟୋଜିତ ହେବେ।  ଏଥିସହ  ୫ ପ୍ଲାଟୁନ ଅଧିକ ପୋଲିସ ଫୋର୍ସ ଯୋଗାଇ ଦିଆଯିବ। ପ୍ରତ୍ୟକ ଛକରେ ପୋଲିସର କଡ଼ା ପ୍ରହରା କରାଯାଇ ଯାଞ୍ଚକୁ କଡ଼ାକଡ଼ି କରାଯିବ। ଏହାଛଡ଼ା ବ୍ୟାପକ ସଚେତନତା ମାଧ୍ୟମରେ ଜନସାଧାରଣଙ୍କ ସହଯୋଗ କାମନା କରାଯିବ। ତେବେ ଭୁବନେଶ୍ୱରରେ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଏହା ଉପରେ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି। ସ୍ଥିତି ନିୟନ୍ତ୍ରଣ ସହ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ କରିବା ପାଇଁ ଭୁବନେଶ୍ୱରକୁ ୩ ଜୋନ୍‌ରେ ବିଭକ୍ତ କରାଯିବ। ପ୍ରତି ଜୋନ୍‌ରେ ଜଣେ ଡିସିପି ପାହ୍ୟାର ଅଧିକାରୀ ଦାୟିତ୍ୱରେ ରହିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ କରୋନା ଯୋଦ୍ଧା ସାଜିଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି। ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଥିବାରୁ ପୋଲିସ ପ୍ରଶାସନ ପାଇଁ ଚିନ୍ତା ବଢିଛି। ଯେଉଁ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି, ସ୍ବତନ୍ତ୍ର ଭାବେ ସେମାନଙ୍କ ଯତ୍ନ ନିଆଯିବ। ଏଥିପାଇଁ ଷ୍ଟେଟ୍‌ ସେଣ୍ଟ୍ରାଲ ଷ୍ଟୋର୍‌ରୁ ଅଧିକ ପିପିଇ କିଟ୍‌ ଓ ଫେସ୍‌ ସିଲ୍ଡ ସଂଗ୍ରହ କରିବାକୁ ଦ୍ୱୈତନଗରୀର ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଥାନାକୁ ଏବେ ଏସବୁକୁ ଅଧିକ ପରିମାଣରେ ଯୋଗାଇ ଦିଆଯିବ। ଥାନାର କର୍ମଚାରୀ ଏହାକୁ ବ୍ୟବହାର କରିବା ପାଇଁ ଥାନାଧିକାରୀ ଉତ୍ସାହିତ କରନ୍ତୁ ବୋଲି ଡିଜିପି କହିଥିଲେ। ବୈଠକରେ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ, ଆଇଜି ଏସ୍‌. ପ୍ରବୀଣ କୁମାର, ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂ ଓ ଏଆଇଜି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Share