ଛତ୍ରପୁର,୨୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜିଲାରେ ୨୫୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ ଜୀବନ ନେଇଛି କରୋନା। କୋଭିଡରେ ମୃତ ବ୍ୟକ୍ତିଙ୍କ ମଧୁମେହ, ରକ୍ତଚାପ ଆଦି ଅନ୍ୟ ରୋଗ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସୋମବାର ଜିଲାରେ କରୋନାଜନିତ ୪ଜଣଙ୍କ ଜୀବନ ଯାଇଥିଲା। ଅନ୍ୟପଟେ ସୋମବାର ସୁଦ୍ଧା ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ୧୧ଲକ୍ଷ ୨୮ହଜାର ୩୫୫ଜଣଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଇଛି। ସେଥିମଧ୍ୟରୁ ୧୨୧ଜଣଙ୍କଠାରେ କରୋନା ଲକ୍ଷଣ ଚି଼ହ୍ନଟ ହୋଇଥିବା ବେଳେ ୧୦୧ଜଣଙ୍କ ଅକ୍ସିଜେନ ସ୍ତର କମ୍ ରହିଛି। ସେଥିରୁ ଗୁରୁତର ୫ରୋଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ସ୍ବେଚ୍ଛାସେବୀ, ସୁପରଭାଇଜର, ଅଙ୍ଗନବାଡିକର୍ମୀମାନେ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ଅକ୍ସିମିଟରରେ ଅମ୍ଳଜାନ ସ୍ତର ସହ ଶରୀରର ତାପମାତ୍ରା ଥର୍ମାଲ ସ୍କ୍ରିନିଂରେ ଯାଞ୍ଚ କରୁଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ