Categories: ଜାତୀୟ

ପୁଣି କରୋନା ଆତଙ୍କ: ମୁମ୍ବାଇରେ ୧୩୦୫ ବିଲ୍ଡିଂ ସିଲ୍‌

ନୂଆଦିଲ୍ଲୀ,୨୧।୨: ଦେଶରେ ପୁଣି କରୋନା ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦେଶର ମହାରାଷ୍ଟ୍ର, କେରଳ, ତାମିଲନାଡୁ କର୍ନାଟକ, ପଞ୍ଜାବ, ମଧ୍ୟପ୍ରଦେଶ ଆଦି ୬ଟି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇରେ ସର୍ବାଧିକ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇ ମହାନଗର ନିଗମ ପକ୍ଷରୁ ୧୩୦୫ ବିଲ୍ଡିଂକୁ ସିଲ୍‌ କରାଯାଇଛି। ଏସବୁ ବିଲ୍ଡିଂରେ ମୋଟ ୭୧,୮୩୮ ପରିବାର ବାସ କରୁଛନ୍ତି। କରୋନା ସଂକ୍ରମଣ ନେଇ ମୁମ୍ବାଇରେ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଏହା ଅନୁସାରେ କୌଣସି ବିଲ୍ଡିଂରେ ୫ ଅବା ଏହାଠାରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେ ସମ୍ପୂର୍ଣ୍ଣ ବିଲ୍ଡିଂ ସିଲ୍‌ କରିଦିଆଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଶନିବାର ୩୬ ଦିନରେ ପହଞ୍ଚିଥିବାବେଳେ ମୋଟ କୋଟିଏ ୮ ଲକ୍ଷ ୩୮ ହଜାର ୩୨୩ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରେ ୭୨ ଲକ୍ଷ ୨୬ ହଜାର ୬୫୩ ଜଣ ସ୍ବାସ୍ଥ୍ୟକର୍ମୀ ଏବଂ ୩୬ ଲକ୍ଷ ୧୧ ହଜାର ୬୭୦ ଜଣ ଫ୍ରଣ୍ଟଲାଇନ୍‌ ଓ୍ବାର୍କର ରହିଛନ୍ତି। ଶନିବାର ଗୋଟିଏ ଦିନରେ ଲକ୍ଷେ ୮୬ ହଜାର ଜଣଙ୍କର ଟିକାକରଣ କରାଯାଇଛି।

Share