ବୋର୍ଡିଂ ସ୍କୁଲରେ କରୋନା ଆତଙ୍କ, ୬୦ ଛାତ୍ର ପଜିଟିଭ୍‌…

ବେଙ୍ଗାଲୁରୁ,୨୯।୯: କର୍ନାଟକର ବେଙ୍ଗାଲୁରୁର ଏକ ବୋର୍ଡିଂ ସ୍କୁଲରେ କରୋନା ଆତଙ୍କ ସୃଷ୍ଟି ହୋଇଛି। ସ୍କୁଲର ୬୦ ଛାତ୍ରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଛାତ୍ରମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍‌ ଛାତ୍ରଙ୍କ ମଧ୍ୟରୁ ୨ ଜଣଙ୍କଠାରେ ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇଛି। ଏହି ବୋର୍ଡିଂ ସ୍କୁଲରେ ୪୮୦ ଛାତ୍ର ପଢୁଛନ୍ତି। ଜିଲାପାଳ ଜେ.ମଞ୍ଜୁନାଥ ସୂଚନା ଦେଇଛନ୍ତି ଯେ, ପିଲାଙ୍କୁ ବାନ୍ତି ହେବାପରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା।

କରୋନା ପଜିଟିଭ୍‌ ଛାତ୍ରଙ୍କ ମଧ୍ୟରୁ କର୍ନାଟକର ୪୬ ଜଣ ଥିବାବେଳେ ତାମିଲନାଡୁର ୧୪ ଜଣ ରହିଛନ୍ତି। ଛାତ୍ରଙ୍କ ସହିତ ସ୍କୁଲର ଅନ୍ୟ କର୍ମଚାରୀଙ୍କ ନମୁନା ପରୀକ୍ଷା ମଧ୍ୟ କରାଯାଇଛି। ୧୦୫ ଜଣଙ୍କର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିବାବେଳେ ୪୨୪ ଜଣଙ୍କର ଆରଟିପିସିଆର୍‌ ଟେଷ୍ଟ୍‌ କରାଯାଇଛି। ସ୍କୁଲକୁ ବନ୍ଦ କରାଯିବା ସହିତ ସମଗ୍ର ଅଞ୍ଚଳକୁ ସିଲ୍‌ କରାଯାଇଛି। ସ୍କୁଲକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯାଇଥିବା ଜିଲାପାଳ କହିଛନ୍ତି।

Share