ନୂଆଦିଲ୍ଲୀ,୮।୮: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଏହାକୁ କମ୍ କରିବାକୁ ଚିନ୍ତା କରୁଛି। ଏହି କ୍ରମରେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କିଛି ଉପଦେଶ ଦେଇଛି। ମନ୍ତ୍ରଣାଳୟ କହିଛି ରାଶନ ଦୋକାନରେ କାମ କରୁଥିବା ଲୋକେ, ପରିବା ବିକାଳି ଓ ଫେରିବାଲାଙ୍କ କରୋନା ଟେଷ୍ଟ କରାଇ ନେବା ଭଲ। ଏହାଦ୍ୱାରା ସଂକ୍ରମଣ ଓ କରୋନା ମୃତ୍ୟୁହାରକୁ କମ କରିହେବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖିଥିବା ଏକ ପତ୍ରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ଅକ୍ସିଜେନ ସୁବିଧା, ଆମ୍ବୁଲାସ ସେବା ଆଦି ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ କୌଣସି ଉପାୟରେ ହେଉ ଆମକୁ କରୋନା ମୃତ୍ୟୁହାର କମ୍ କରିବାକୁ ପଡିବ। ତେଣୁ ଅଧିକରୁ ଅଧିକ ଟେଷ୍ଟ କରାଗଲେ ସଂକ୍ରମଣ ସମ୍ପର୍କରେ ଶୀଘ୍ର ସୂଚନା ମିଳିପାରିବ ଓ ଏହାର ଚିକିତ୍ସା କରାଯାଇ ପାରିବ। ସେ କହିଛନ୍ତି ଜଣେ ସଂକ୍ରମିତ ବ୍ୟକ୍ତି ଅତିକମ୍ରେ ୩୦ ଜଣଙ୍କୁ ସଂକ୍ରମିତ କରିପାରେ। ତେଣୁ ଯେତେଶୀଘ୍ର ସମ୍ଭବ ଏମାନଙ୍କୁ ଚିହ୍ନଟ କରାଯାଇ କ୍ୱାରାଣ୍ଟାଇନ କରାଗଲେ ସଂକ୍ରମଣ ହାର କମ୍ ହୋଇଯିବ।