ଥମୁନି ସଂକ୍ରମଣ: ୫ ମାସର ଶିଶୁକନ୍ୟାଙ୍କୁ କରୋନା

ବରଗଡ଼ ଅଫିସ,୧୪।୫: ବରଗଡ଼ ଜିଲାରେ କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଜିଲାରେ ଇତିମଧ୍ୟରେ ଦୈନିକ ସଂକ୍ରମଣ ୫ଶହ ଟପି ସାରିଛି। ଶୁକ୍ରବାର ଜିଲାରୁ ୫୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ସୋନପୁର, ଝାରସୁଗଡ଼ା ଏବଂ ସମ୍ବଲପୁର ଜିଲାର ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି । ତେବେ ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୧ଜଣ ଶିଶୁ ରହିଛନ୍ତି। ସେହି ଶିଶୁମାନଙ୍କ ମଧ୍ୟରେ ଏକ ୫ମାସର ଶିଶୁକନ୍ୟା ଅଛି ଏବଂ ଶିଶୁଟି ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମର ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୬୭୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ହଜାର ୧୦୭ ଜଣ ସୁସ୍ଥ ହୋଇଛନ୍ତି। ୩୫୧୯ ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସେ ସୂଚନା ଦେଇଛନ୍ତି।

Share