କରୋନା ଯୋଦ୍ଧାଙ୍କୁ କରୋନା, ୮୭ ଡାକ୍ତର କରୋନା ପଜିଟିଭ୍‌…

ପାଟଣା, ୩।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ବିହାରର ପାଟନା ସ୍ଥିତ ନାଳନ୍ଦା ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ୮୭ ଡାକ୍ତରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ କୌଣସି ଲକ୍ଷଣ ନ ଥିବାବେଳେ କିଛିଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିବା ଜଣାପଡ଼ିଛି। ସେମାନଙ୍କୁ ହସ୍ପିଟାଲ କ୍ୟାମ୍ପସ୍‌ରେ ଆଇସୋଲେଶନରେ ରଖାଯାଇଛି।

ହସ୍ପିଟାଲ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ପାଟନା ଜିଲାପାଳ ଚନ୍ଦ୍ରଶେଖର ସିଂ ସୂଚନା ପ୍ରଦାନ କରିଛନ୍ତି। ଏତେ ସଂଖ୍ୟକ ଡାକ୍ତର କରୋନାରେ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତିି। ମେଡିକାଲ କଲେଜରୁ ୧୯୪ ଜଣଙ୍କର ଏକ ନମୁନା ନିଆଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ, କର୍ମଚାରୀ ଏବଂ ଅନେକ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆକ୍ରାନ୍ତ ଡାକ୍ତରମାନେ ଡ୍ୟୁଟିରେ ଥିଲେ ଏବଂ ମେଡିକାଲ ଷ୍ଟାଫ ତଥା ରୋଗୀଙ୍କ ସହ ଯୋଗାଯୋଗରେ ଥିଲେ। ଏପରି ପରିସ୍ଥିତିରେ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନମୁନା ପରୀକ୍ଷା କରାଯିବା ଲାଗି ଚିନ୍ତା କରାଯାଉଛି। ଏହାଦ୍ୱାରା ସେମାନେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

Share