ହରିଣକୁ କରୋନା…

ଓ୍ବାଶିଂଟନ,୨୮।୮: ଆମେରିକାରେ କୁକୁର, ବିଲେଇ, ସିଂହ, ଚିତା, ଗୋରିଲା ପରି ପ୍ରାଣୀମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏବେ ଏହା ହରିଣକୁ ବ୍ୟାପିଛି। କରୋନାର ପ୍ରଥମ ମାମଲା ହରିଣଠାରେ ଚିହ୍ନଟ ହୋଇଥିବା ଆମେରିକାର କୃଷି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଓହିଓ ରାଜ୍ୟରେ ହରିଣଠାରେ ପ୍ରଥମ କରୋନା ଭୂତାଣୁ ଚିହ୍ନଟ ହୋଇଛି। ତେବେ ଏହି ସଂକ୍ରମଣ ହରିଣଠାରେ କିପରି ପହଞ୍ଚିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଆମେରିକାର କୃଷି ବିଭାଗ କହିଛି ଯେ ଧଳା ଲାଞ୍ଜ ଥିବା ହରିଣଠାରେ ସାର୍ସ-କୋଭ୍‌-୨ ସଂକ୍ରମଣ ଦେଖିବାକୁ ମିଳିଛି। ତେବେ ଠାରେ କରୋନାର କୌଣସି ଲକ୍ଷଣ ମିଳି ନାହିଁ। ମାତ୍ର ଏହି ସଂକ୍ରମଣ କେଉଁଠୁ ଆସିଛି ତାହା ଜଣାନାହିଁ ବୋଲି କୃଷି ବିଭାଗ ମୁଖପାତ୍ର ଲେଣ୍ଡସେ କୋଲ ରଏଟର ନ୍ୟୁଜ ଏଜେନ୍ସିକୁ କହିଛନ୍ତି। ଏହି ସଂକ୍ରମଣ ହୁଏତ ମଣିଷ, ପରିବେଶ କିମ୍ବା ଅନ୍ୟ ହରିଣ କିମ୍ବା ପଶୁମାନଙ୍କଠାରୁ ସଂକ୍ରମିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଓହିଓର ୟୁନିଭରସିଟି କଲେଜ ଅଫ ଭେଟେରେନାରୀ ମେଡିସିନ ପକ୍ଷରୁ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ହରିଣଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା। ଜାତୀୟ ପ୍ରାଣୀ ଚିକିତ୍ସା ସେବା ଲାବୋରେଟୋରୀରେ ନମୁନା ଗୁଡ଼ିକର ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।

Share