ଆଜି ପୁଣି ୩୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୭୦୦ ଟପିଲା; ମୃତକଙ୍କ ମଧ୍ୟରେ ଅଛନ୍ତି ୧୦ ମହିଳା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ରବିବାର ଆଉ ୩୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୧୦ ମହିଳା।

ଅନୁଗୋଳରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ର ଜିଲାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଟକ, ଦେବଗଡ଼, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୬,୬୮୪ରେ ପହଞ୍ଚିଥିବା ବେଳେ ୬,୫୮,୬୪୬ଜଣ ସୁସ୍ଥ ହୋଇଛନ୍ତି। ୯୫,୨୬୬ ଜଣ ଚିକିିତ୍ସିତ ହେଉଛନ୍ତି। ୨୭୧୯ ଜଣଙ୍କ ମୃତ୍ୟୁ ଘଟିଛି।

Share