ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଗୁରୁବାର ପୁଣି କାରୋନାଜନିତ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୪, ଖୋର୍ଦ୍ଧାରୁ ୨, ନୟାଗଡ଼ ୧, ରାୟଗଡ଼ା ୧, ସମ୍ବଲପୁର ୧ ଓ ସୁନ୍ଦରଗଡ଼ର ଜଣେ ରହିଛନ୍ତି। ଗଞ୍ଜାମ ଜିଲାର ୪ଜଣ ମୃତକଙ୍କ ମଧ୍ୟରେ ୩ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ପୁରୁଷଙ୍କ ବୟସ ଯଥାକ୍ରମେ ୩୩, ୪୩, ୪୭ ଓ ମହିଳାଙ୍କ ବୟସ ୬୫ ରହିଛି। ଉକ୍ତ ମହିଳା ଜଣଙ୍କ ପୂର୍ବରୁ ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ। ସେହିପରି ଭୁବନେଶ୍ୱରର ମୃତ ଦ୍ୱୟ ହେଲେ ୬୦ବର୍ଷର ଜଣେ ମହିଳା ଓ ପୁରୁଷ। ମହିଳା ଜଣଙ୍କ ଡାଇବେଟିସ୍‌ରେ ପୀଡ଼ିତ ଥିବା ବେଳେ ପୁରୁଷ ଜଣଙ୍କ ଉଭୟ ଡାଇବେଟିସ୍‌ ଓ କିଡନୀ ରୋଗରେ ପୀଡ଼ିତ ଥିଲେ। ତେବେ ସମ୍ବଲପୁରର ୬୭ବର୍ଷୀୟ ବୃଦ୍ଧ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ନୟାଗଡ଼ର ୬୫ବର୍ଷୀୟ ବୃଦ୍ଧ କିଡନୀ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ସେହିଭଳି ସୁନ୍ଦରଗଡ଼ର ୭୧ବର୍ଷୀୟ ବୃଦ୍ଧ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିବା ବେଳେ ରାୟଗଡ଼ାର ୫୦ବର୍ଷୀୟ ପୁରୁଷ ମଧ୍ୟ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share