ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କରୋନା ତାଣ୍ଡବ ଯୋଗୁ ଗତ ୨୪ ଘଣ୍ଟାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୦,୧୮୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ସଂକ୍ରମଣ ହାର ୧୯.୬୦ ପ୍ରତିଶତ ରହିଛି। ସେହିପରି ୧୧,୮୬୯ ଜଣ ସୁସ୍ଥ ହୋଇ ଘରକୁ ଫେରଛନ୍ତି।
ଅପରପକ୍ଷରେ ସକ୍ରିୟ ମାମଲା ୪୮,୧୭୮ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ହସ୍ପିଟାଲରେ ୧,୫୮୬ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ୨୫,୯୦୯ ଆକ୍ରାନ୍ତ ହୋମ୍ ଆଇସୋଲେଶନ୍ରେ ରହିଛନ୍ତି।
ଗତ ୨୪ ଘଣ୍ଟାରେ ୧୦୨,୯୬୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।