ନୂଆଦିଲ୍ଲୀ,୨୭।୩: ଦେଶରେ କରୋନାର ଦେ।ହରା ମାଡ଼ ଆରମ୍ଭ ହୋଇଛି। ଧୀରେଧୀରେ ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ନୂଆ ଆକ୍ରାନ୍ତଙ୍କ ପ୍ରତିଦିନ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୫୮ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨୯୧ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୧୬୧ ଦିନ ପରେ ପୁଣି ଦେଶରେ ସମାନ ସ୍ଥିତି ସୃଷ୍ଟି ହୋଇଛି। ଏହାପୂର୍ବରୁ ୨୦୨୦ ଅକ୍ଟୋବର ୧୬ରେ ଦେଶରେ ଅକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୧୨ ଥିଲା। ଏବେ ପୁଣି ସେହି ଅବସ୍ଥା ଦେଖାଦେଇଛି। କରୋନା ଗ୍ରାଫ୍ ବଢୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥିତି ଅନୁସାରେ ପଦକ୍ଷେପ ଗ୍ରହଣ କରିବା ଲାଗି ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ଗତ ଜାନୁଆରୀ ଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ସାର୍ବଜନୀକ ଟିକାକରଣ କାର୍ଯ୍ୟକ୍ରମରେ ଇତିମଧ୍ୟରେ ୫ କୋଟି ୮୧ ଲକ୍ଷ ୯ ହଜାର ୭୭୩ ଡୋଜ୍ ଲୋକଙ୍କୁ ଦିଆସରିଛି। ମହାରାଷ୍ଟ୍ରରେ ସ୍ଥିତି ଗୁରୁତର ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬ ହଜାର ୯୦୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୧୨ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଦୃଷ୍ଟିରୁ ରାଜ୍ୟର କେତେକ ସହରରେ ଲକ୍ଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି।