ଅନୁବଂଶିକ ପଦାର୍ଥ ପଦ୍ଧତିର ଟିକା, ଡି.ଏନ୍.ଏ. କିମ୍ବା ଆର୍.ଏନ୍.ଏ. ବ୍ୟବହାର କରି ପ୍ରସ୍ତୁତ କରାଯାଏ। ଏହା ଟିକା ପ୍ରସ୍ତୁତିର ସବୁଠାରୁ ଆଧୁନିକ ପଦ୍ଧତି। ଏହି ପ୍ରକାର ଟିକା ପ୍ରସ୍ତୁତି ଅତି ସହଜ ଓ ଶସ୍ତା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଶ୍ରେଣୀର ଅନ୍ୟ କୌଣସି ରୋଗର କୌଣସି ଟିକାକୁ ଅନୁମତି ମିଳିନାହିଁ। ଏହାକୁ ସଂରକ୍ଷିତ ରଖିବା ପାଇଁ ଅତି ନିମ୍ନ ତାପମାତ୍ରା (- ୭୦ ଡିଗ୍ରୀ ସେଲସିୟସ) ଦରକାର। ସେଥିପାଇଁ ଆମ ଦେଶ ପରି ବିକାଶଶୀଳ ଦେଶ ପାଇଁ ଏହି ପ୍ରକାର ଟିକା ଉପଯୁକ୍ତ ନୁହେଁ। ଆମେରିକାରେ ବ୍ୟବହୃତ ଫାଇଜର୍ ଦ୍ୱାରା ପ୍ରସ୍ତୁତ ଟିକା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଭାଇରାଲ୍ ଭେକ୍ଟର ପଦ୍ଧତିରେ ଏକ ସୁରକ୍ଷିତ ଭୂତାଣୁ ବ୍ୟବହାର କରାଯାଏ। ଏହି ପଦ୍ଧତିରେ ରୋଗ ସୃଷ୍ଟିକାରୀ ଭୂତାଣୁର ଅନୁବଂଶିକ ସୂଚନା ବା ଭୂତାଣୁର ପୁଷ୍ଟିସାରକୁ ଅନ୍ୟ ଏକ ସୁରକ୍ଷିତ ଭୂତାଣୁ ସହିତ ସଂଲଗ୍ନ କରି ମଣିଷ ଶରୀରରେ ପ୍ରବେଶ କରାଯାଏ, ଯାହାକୁ ରୋଗ ପ୍ରତିଷେଧକ ତନ୍ତ୍ର ଚିହ୍ନି ପାରି ଆଣ୍ଟିବଡି ସୃଷ୍ଟି କରେ। ଏହି ପ୍ରକ୍ରିୟାରେ ସାଧାରଣତଃ ଥଣ୍ଡା ସୃଷ୍ଟି କରୁଥିବା ଭୂତାଣୁକୁ ବ୍ୟବହାର କରାଯାଏ। ଇବୋଲା ପାଇଁ ପ୍ରସ୍ତୁତ ଟିକା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଆମ ଦେଶରେ କରୋନା ପାଇଁ ବ୍ୟବହାର ହେଉଥିବା ସେରମ୍ ସଂସ୍ଥା ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଓ ରୁଷିଆ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍ ଭି ଏହି ଶ୍ରେଣୀର ଟିକା। ଗୋଟିଏ ଶତ ପ୍ରତିଶତ କାର୍ଯ୍ୟକ୍ଷମ ଓ ସୁରକ୍ଷିତ ଟିକା ପ୍ରସ୍ତୁତି ପାଇଁ ଅତିକମ୍ରେ ୪ରୁ ୫ ବର୍ଷ ସମୟ ଦରକାର। ସେ ସମସ୍ତ ଟିକା ସୁରକ୍ଷିତ ଓ ୮୦ ପ୍ରତିଶତରୁ ଅଧିକ ଉପଯୋଗୀ ବୋଲି ଗବେଷଣାରୁ ଜଣାପଡିଛି। ସେଥିପାଇଁ ବିଭିନ୍ନ ଦେଶ ଓ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ) କିଛି ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏଣୁ ଆମେ ସମସ୍ତେ ଟିକା ନେଇ ଏହି ସଂଗ୍ରାମରେ ସାମିଲ୍ ହେବା ଉଚିତ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଆଉ ଅଳ୍ପ ଦିନ ମଧ୍ୟରେ ଏହି ମହାମାରୀ ଆମ ଦେଶରୁ ଓ ବିଶ୍ୱରୁ ସମାପ୍ତ ହୋଇଯିବ ବୋଲି ମୋର ବିଶ୍ୱାସ। (ଶେଷ ଭାଗ)
– ଡ. ଦେବାଶିଷ ମହାନ୍ତି
-ବିଭାଗୀୟ ମୁଖ୍ୟ, ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ,
ଢେଙ୍କାନାଳ,
ମୋ : ୯୮୬୧୩୯୧୧୯୦