ପୁଣି ବଦଳିପାରେ ନିୟମ: କରୋନାରୁ ସୁସ୍ଥ ହେବା ପରେ ଭାକ୍ସିନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ୯ମାସ

ନୂଆଦିଲ୍ଲୀ,୧୮।୫: କରୋନା ଭାଇରସ୍‌କୁ ହରାଇବା ପାଇଁ ଭାକ୍ସିନକୁ ଏକମାତ୍ର ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ଏଥିପାଇଁ ସାରା ଦେଶରେ ଟିକାକରଣ କାମ ଜାରି ରହିଛି। ଇତିମଧ୍ୟରେ ଗତ କିଛି ଦିନ ହେଲା ଭାକ୍ସିନ ନୀତିରେ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି। ଏଣିକି କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ସୁସ୍ଥ ହେବାର ୯ମାସ ପରେ ଟିକା ନେଇପାରିବେ। ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡମିନିଷ୍ଟ୍ରେଶନ୍‌(ଏନ୍‌ଇଜିଭିଏସି) ପକ୍ଷରୁ ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯାଇପାରେ। ୯ମାସ ପରେ ଟିକାକରଣ ପାଇଁ ଏକ୍ସପର୍ଟ ଗ୍ରୁପ୍‌ ପରାମର୍ଶ ଦେଇଛି। ପୂର୍ବରୁ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବାର ୬ମାସ ପରେ ଟିକା ନେଇପାରିବେ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏବେ ଏହାକୁ ୯ମାସ ଯାଏ ବଢ଼ାଇ ଦିଆଯାଇପାରେ। କେତେକ ତଥ୍ୟକୁ ଆଧାର କରି ଏଭଳି ପରାମର୍ଶ ଦେଇଛି ଏକ୍ସପର୍ଟ ଗ୍ରୁପ୍‌। ସୂଚନାଯୋଗ୍ୟ, ଭାରତରେ ପ୍ରଥମ ଲହରରେ ପୁନଃ ସଂକ୍ରମଣ ହାର ୪.୫ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା। ଏହି ସମୟରେ ୧୦୨ ଦିନର ପାର୍ଥକ୍ୟ ଦେଖାଯାଇଥିଲା। କିନ୍ତୁ କେତେକ ଦେଶର ଅଧ୍ୟୟନରୁ ଜଣାପଡ଼ିଛି ଯେ, କରୋନା ସଂକ୍ରମଣ ପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ୬ ମାସ ପର୍ଯ୍ୟନ୍ତ ରହିପାରେ। ତେଣୁ ଟିକାକରଣର ଅନ୍ତରରେ ଏତିକି ସମୟ ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି।

Share