ସରକାରୀ ଡାକ୍ତରଖାନାରେ ମିଳୁନି ବୁଷ୍ଟର ଡୋଜ

ଜି.ଉଦୟଗିରି,୨୫ା୪(ଡି.ଏନ୍‌.ଏ.): ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ କନ୍ଧମାଳ ଜିଲାରେ ୬୦ ବର୍ଷରୁ କମ୍‌ ଲୋକଙ୍କୁ ବୁଷ୍ଟର ଡୋଜ ଦିଆ ଯାଉନାହିଁ। ଫଳରେ ଶହ ଶହ ଲୋକ ପ୍ରତ୍ୟେକ ଦିନ ହସ୍ପିଟାଲ ଯାଇ ନିରାଶ ହୋଇ ଫେରୁଛନ୍ତି। ୬୦ ବର୍ଷରୁ କମ୍‌ ବୟସର ଲୋକ ଘରୋଇ ହସ୍ପିଟାଲ କିମ୍ବା କ୍ଲିନିକ୍‌ରେ ମୂଲ୍ୟ ଦେଇ ଭାକ୍ସିନ ନେଇ ପାରିବେ ବୋଲି ସରକାର ଘୋଷଣା କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ କନ୍ଧମାଳ ଜିଲାରେ ଘରୋଇ ଭାବେ କେଉଁଠି ମଧ୍ୟ ଭାକ୍ସିନ ମିଳୁନାହିଁ ।

ଏ ସମ୍ପର୍କରେ କନ୍ଧମାଳ ଜିଲା ଡିପିଏମ୍‌ ମନୋରଞ୍ଜନ ସାହୁଙ୍କୁ ପଚାରିବାରୁ, ୬୦ ବର୍ଷରୁ କମ୍‌ ବୟସର ଲୋକଙ୍କୁ ହସ୍ପିଟାଲରେ ମାଗଣାରେ ଭାକ୍ସିନ ଦେଇ ହେବ ନାହିଁ ବୋଲି କହିଛନ୍ତି। ଘରୋଇ ଭାବେ କାହାକୁ ଅନୁମତି ଦିଆଯାଇଛି କି ବୋଲି ପଚାରିବାରେ ବର୍ତ୍ତମାନ ସୁଦ୍ଧା ସେପରି ଦିଆ ହୋଇ ନ ଥିବା କହିଥିଲେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ସରକାରୀ ହସ୍ପିଟାଲରେ ଭାକ୍ସିନ ଦିଆଯିବ ନାହିଁ। ଏଣେ ଜିଲାରେ କୌଣସିଠାରେ ଘରୋଇ ଭାବେ ଭାକ୍ସିନ ମିଳୁନାହିଁ। ତେବେ ଯୋଗ୍ୟ ହିତାଧିକାରୀ ବର୍ତ୍ତମାନ ଭାକ୍ସିନ ପାଇବେ କିପରି ? ବର୍ତ୍ତମାନ ପୁଣି ଦେଶରେ କରୋନା ମାମଲା ବଢ଼ିବା ଓ ହସ୍ପିଟାଲରେ ଭାକ୍ସିନ ନ ମିଳିବା ଲୋକଙ୍କୁ ଚିନ୍ତାରେ ପକାଇଛି।