ଆଉଟ୍‌ ଅଫ୍‌ ଷ୍ଟକ୍‌ ଭାକ୍ସିନ: ଦ୍ୱିତୀୟ ଡୋଜ୍‌ ନେବାକୁ ଆସୁଥିବା ବ୍ୟକ୍ତି ନିରାଶ ହୋଇ ଫେରିଲେ ଘରକୁ

ମୁମ୍ବାଇ,୯।୪: ଦେଶରେ ବର୍ଦ୍ଧିତ କରୋନା ଭାଇରସ୍‌ ମାମଲା ମଧ୍ୟରେ ଏବେ ଭାକ୍ସିନକୁ ନେଇ ବିବାଦ ଲାଗି ରହିଛି। କେତେକ ରାଜ୍ୟରେ ଭାକ୍ସିନ କମ୍‌ କିମ୍ବା ଶେଷ ହୋଇଯାଇଥିବା ଘଟଣା ଶୁଣିବାକୁ ମିଳୁଛି। କିନ୍ତୁ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି କ୍ରମରେ ଶୁକ୍ରବାର ନାଗପୁରରୁ ଏକ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠି ଉକ୍ତ ସେଣ୍ଟରରେ ଭାକ୍ସିନ ସରିଯାଇଥିବା କୁହାଯାଇଛି। ଏଥିସହ ସେଣ୍ଟର ବାହାରେ ଭାକ୍ସିନ ଉପଲବ୍ଧ ନ ଥିବା ନେଇ ଏକ ବୋର୍ଡରେ ଉଲ୍ଲେଖ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ଦେଖି ପ୍ରଥମ ଓ ଦ୍ୱିତୀୟ ଟିକା ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଦ୍ୱିତୀୟ ଡୋଜ୍‌ ନେଇ ଆସିଥିବା ବ୍ୟକ୍ତି ନିରାଶରେ ଘରକୁ ଫେରିଛନ୍ତି। ଅନ୍ୟପଟେ ଭାକ୍ସିନ କେବେ ଆସିବ ସେନେଇ ଜଣାନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏହି ସଙ୍କଟ କେବଳ ନାଗପୁରରେ ନୁହେଁ ବରଂ ମହାରାଷ୍ଟ୍ରର ଅନ୍ୟ କେତେକ ଜିଲାଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି। ଟିକା ନ ଥିବାରୁ କେତେକ ଜିଲାଗୁଡ଼ିକରେ ଟିକାକରଣ କାର୍ଯ୍ୟରେ ବାଧା ଉପୁଜିଛି। ଅନ୍ୟପଟେ କୌଣସି ରାଜ୍ୟରେ ଟିକାର ଅଭାବ ନାହିଁ। ଦେଶରେ ଏବେ ବି ଅଢ଼େଇ କୋଟି ଭାକ୍ସିନ ଉପଲବ୍ଧ ରହିଛି। ଖୁବ୍‌ଶୀଘ୍ର ଆଉ ପ୍ରାୟ ୨ କୋଟି ଭାକ୍ସିନ ମିଳିବ ବୋଲି ଶୁକ୍ରବାର କେନ୍ଦ୍ର ପକ୍ଷରୁ କୁହାଯାଇଛି।

Share