କରୋନା ଟିକା ବଞ୍ଚାଇଛି ୨ କୋଟି ଲୋକଙ୍କ ଜୀବନ, ତାଲିକାରେ ୪୨ ଲକ୍ଷରୁ ଅଧିକ ଭାରତୀୟ …

ଓ୍ବାଶିଂଟନ, ୨୪।୬ : କରୋନା ମହାମାରୀକୁ ରୋକିବା ପାଇଁ ପ୍ରସ୍ତୁତ ଟିକା ଭାରତ ସହିତ ଅନ୍ୟାନ୍ୟ ଦେଶ ପାଇଁ ଜୀବନ ରକ୍ଷାକାରୀ ବୋଲି ପ୍ରମାଣିତ ହୋଇଛି। ଏହି ଟିକା ଭାରତରେ ୪୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ବଞ୍ଚାଇଥିବାବେଳେ ସମଗ୍ର ବିଶ୍ୱରେ ୨କୋଟିରୁ ରୁ ଅଧିକ ଲୋକଙ୍କ ମୃତ୍ୟୁକୁ ରୋକିଛି।

ଲାନସେଟ ପତ୍ରିକା ଦ୍ୱାରା ଡିସେମ୍ବର ୨୦୨୦ ରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ କରାଯାଇଥିବା ଅଧ୍ୟୟନ ତଥ୍ୟ ଆଧାରରେ ଏହା ପ୍ରକାଶ ପାଇଛି। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ବିଶ୍ୱରେ କରୋନା ଯୋଗୁ ୩.୧୪ କୋଟି ଲୋକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଟିକାକରଣ ଯୋଗୁ ୧.୯୮ କୋଟି ଲୋକଙ୍କ ଜୀବନ ରକ୍ଷା ହୋଇ ପାରିଛି।

ଅଧ୍ୟୟନର ଆକଳନ ଅନୁଯାୟୀ ୨୦୨୧ ଶେଷ ସୁଦ୍ଧା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପ୍ରତ୍ୟେକ ଦେଶରେ ୪୦ ପ୍ରତିଶତ ଜନସଂଖ୍ୟାକୁ ଟିକାକରଣ କରିବାର ଲକ୍ଷ୍ୟ ପୂରଣ ହୋଇଥିଲେ ୫,୯୯,୩୦୦ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଥାନ୍ତା।

ଭାରତ କରୋନା ମହାମାରୀ ସଙ୍କଟରେ ଥିଲା କିନ୍ତୁ ଟିକାକରଣ ଯୋଗୁ ସ୍ଥିତିରେ ସୁଧାର ହୋଇଥିଲ ବୋଲି ଅଧ୍ୟୟନର ମୁଖ୍ୟ ଅଲିଭର ୱାଟସନ କହିଛନ୍ତି । ଏହି ମଡେଲିଂ ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ଟିକାକରଣ ଅଭିଯାନ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛି।

ଲାନସେଟ ଅଧ୍ୟୟନର ଅଧ୍ୟୟନ ଅନୁଯାୟୀ, ଭାରତରେ କରୋନା ମହାମାରୀ ସମୟରେ ୫୧ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିଲା, କିନ୍ତୁ କରୋନା ଟିକାକରଣ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇଥିଲା। ମହାମାରୀ ଯୋଗୁ ଭାରତରେ ୫,୨୪,୯୪୧ ମୃତ୍ୟୁ ପଞ୍ଜିକୃତ ହୋଇଛି। ଟିକାକରଣ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହୋଇଥିବାରୁ ୧୦ ଗୁଣା କମ ଲୋକଙ୍କ ମୃତ୍ୟୁ ଘଟିଥିଲା।

Share