ଥରକରେ ୧୦୦ ଜଣଙ୍କୁ ଦିଆଯିବ କରୋନା ଟିକା: ଜଣଙ୍କ ପାଇଁ ଅଧାଘଣ୍ଟା

ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଖୁବ୍‌ ଶୀଘ୍ର ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜରୁରିକାଳୀନ ସ୍ଥିତିରେ ଭାରତରେ କରୋନା ଟିକା ଦିଆଯିବା ଲାଗି ଫାଇଜର ଏବଂ ସିରମ୍‌ ଇନଷ୍ଟିଚ୍ୟୁଟ ପକ୍ଷରୁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)ର ମଞ୍ଜୁରୀ ଅନୁମତି ଲୋଡ଼ା ଯାଇଛି। ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଟିକା ଥରକରେ ୧୦୦ଜଣଙ୍କୁ ଦିଆଯାଇପାରିବ। ଜଣଙ୍କୁ ଟିକା ଦେବା ପାଇଁ ଅଧାଘଣ୍ଟା ଲାଗିବ। କୋବିନ୍‌ ଆପ୍‌ ମାଧ୍ୟମରେ ଟିକାକରଣ ତଥା କେନ୍ଦ୍ର ସମ୍ପର୍କିତ ସୂଚନା ପ୍ରଦାନ କରାଯିବ। ଟିକାକରଣ ପାଇଁ ପ୍ରତି କେନ୍ଦ୍ରରେ ୩ଟି ଭିନ୍ନ ଭିନ୍ନ ପ୍ରକୋଷ୍ଠ ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଥମ ପ୍ରକୋଷ୍ଠରେ କରୋନା ଟିକା ନେବାକୁ ଆସିଥିବା ଲୋକଙ୍କୁ ଅପେକ୍ଷା କରିବାକୁ କୁହାଯିବ। ଦ୍ୱିତୀୟ ପ୍ରକୋଷ୍ଠରେ ସେମାନଙ୍କୁ ଜଣ ଜଣ କରି ଟିକା ଲଗାଯିବ। ପରେ ସେମାନଙ୍କୁ ୩୦ ମିନିଟ୍‌ ବିଶ୍ରାମ ପାଇଁ ତୃତୀୟ ପ୍ରକୋଷ୍ଠକୁ ଛଡ଼ାଯିବ। ଏହି ସମୟ ମଧ୍ୟରେ ସେମାନଙ୍କଠାରେ କରୋନା ଟିକାର କିଭଳି ପ୍ରଭାବ ଅନୁଭୁତ ହେଉଛି ତାହା ଅନୁଧ୍ୟାନ କରାଯିବ।

Share