କରୋନା ଟୀକା ପ୍ରଥମେ ଦିଆଯିବ ଏସବୁ ଲୋକଙ୍କୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ ଟୀକାର ଶେଷ ପର୍ଯ୍ୟାୟ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ଆଉ ୧୫ ଦିନ ମଧ୍ୟରେ ଏହାର ବ୍ୟବହାର କରାଯିବ ବୋଲି କୁହାଯାଉଛି। ପ୍ରଥମେ ଏହି ଟୀକା ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କରଙ୍କୁ ଦିଆଯିବ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟକର୍ମୀ,ଡାକ୍ତର ଏବଂ ନର୍ସଙ୍କୁ ଦିଆଯିବ। ସେମାନେ ଆକ୍ରାନ୍ତଙ୍କ ସହିତ କାର୍ଯ୍ୟ କରୁଥିବାରୁ ଏଭଳି କରାଯିବ ବୋଲି କୁହାଯାଉଛି। ରୁଷ୍‌ରେ ଟୀକାକୁ ସୈନ୍ୟ ଏବଂ ସ୍ବୟଂସେବକଙ୍କୁ ଦିଆଯାଇଛି ବୋଲି ଏହି ପରିିଯୋଜନାର ନିର୍ଦ୍ଦେଶକ ଆଲେକ୍ସ୍‌ଜାଣ୍ଡାର୍‌ ଗିନ୍ସ୍‌ବର୍ଗ କହିଛନ୍ତି। ଆମେରିକାରେ ପ୍ରସ୍ତୁତ ମୋଡ଼ର୍ନା କମ୍ପାନୀର କରୋନା ଟୀକା ୩୦ ହଜାର ଲୋକଙ୍କଠାରେ ପରୀକ୍ଷା କରାଯାଇଛି। ଏହାର ରିପୋର୍ଟ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ଭାଗରେ ଆସିବ। ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟୀକା ପରୀକ୍ଷଣର ଶୀର୍ଷରେ ରହିଛି। ଭାରତରେ ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ସହାୟତାରେ ଟୀକାର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଏହି ଟୀକା ଚଳିତ ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିବ ବୋଲି କୁହାଯାଉଛି। ଭାରତ ବାୟୋଟିକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌ର ପରୀକ୍ଷା ଦିଲ୍ଲୀ ଏମ୍ସ୍‌, ପାଟନା ଏମ୍ସ୍‌, ରୋହତକ ସିଜିଆଇ ସମେତ ଅନ୍ୟ ସଂସ୍ଥାରେ କରାଯାଇଛି। ସେହିପରି ଜାୟଡସ୍‌ କ୍ୟାଡ଼ିଲା ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟୀକାର ପରୀକ୍ଷଣ ଜାରି ରହିଛି।

Share