କରୋନା ଭାଇରସ୍ର ଇତିହାସ ଯେତିକି ରହସ୍ୟମୟ, ସେତିକି ପ୍ରଶ୍ନବାଚୀ। ଏହି ଭାଇରସ୍ ପ୍ରଥମେ ୧୯୩୦ ମସିହାର ଆବିଷ୍କୃତ ହୁଏ। ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥ ଡାକୋଟାଠାରେ କୁକୁଡ଼ାଛୁଆଙ୍କଠାରେ ଏକ ଭୟଙ୍କର ଶ୍ବାସନଳୀ ସଂକ୍ରମଣଜନିତ ରୋଗ ଲକ୍ଷ୍ୟ କରାଯାଇଥିଲା I ଏହା ଏକ ଇନଫେକ୍ଟିଅସ୍ ବ୍ରୋଙ୍କାଇଟିସ୍ ଭାଇରସ୍ ନାମକ ଭୂତାଣୁ ଦ୍ବାରା ବ୍ୟାପୁଥିବାର ଜଣାପଡ଼ିଲା। ଏହାଦ୍ବାରା ସଂକ୍ରମିତ କୁକୁଡ଼ାଗୁଡ଼ିକଠାରେ ଅଣନିଃଶ୍ୱାସୀ ତଥା ଘୁମାଇବା ଆଦି ଲକ୍ଷଣ ପ୍ରକାଶ ପାଇଥିଲା। ଏହି ରୋଗରେ ୪୦ରୁ ୯୦ ପ୍ରତିଶତ କୁକୁଡ଼ା ମରିଯାଉଥିଲେ। ଏହାର ଏକ ବର୍ଷ ପରେ, ଅର୍ଥାତ ୧୯୩୧ ମସିହାରେ, ଆର୍ଥର ସଲକ୍ ଏବଂ ଏମ୍. ସି. ହନ୍ ନାମକ ଦୁଇଜଣ ବୈଜ୍ଞାନିକ ଏ କ୍ଷେତ୍ରରେ ଅଧ୍ୟୟନ କରି ଏହାକୁ ଏକ ନୂଆ ବ୍ୟାଧି ରୂପେ ଅଭିହିତ କରନ୍ତି। ଏହାର ୬ ବର୍ଷ ପରେ ଆଉ ଦୁଇଜଣ ବୈଜ୍ଞାନିକ ଫ୍ରେଡ ବିଉଡେତ ଏବଂ ଚାର୍ଲସ୍ ହଡସନ୍ ଏହି ବ୍ରୋଙ୍କାଇଟିସ୍ ଭାଇରସ୍କୁ ଏବଂ ଟ୍ରାନ୍ସମିସିବୁଲ୍ ଗ୍ୟାଷ୍ଟ୍ରୋଏଣ୍ଟେରିଟିସ୍ ଭାଇରସ୍ ମଧ୍ୟ ପୃଥକୀକରଣ କରି ଗବେଷଣାଗାରରେ ପରିବର୍ଦ୍ଧନ କରିଥିଲେ। ୧୯୪୦ ଦଶକରେ ଆଉ ଦୁଇଟି କରୋନା ଭାଇରସ୍ର କିସମ ଯଥା ମାଉସ୍ ହେପାଟାଇଟିସ୍ ଭାଇରସ୍ ଏବଂ ଟ୍ରାନ୍ସମିସିବୁଲ୍ ଗ୍ୟାଷ୍ଟ୍ରୋଏଣ୍ଟେରିଟିସ୍ ଭାଇରସ୍କୁ ମଧ୍ୟ ପୃଥକୀକରଣ କରାଗଲା।
୧୯୬୦ ମସିହାରେ ମନୁଷ୍ୟକୁ ସଂକ୍ରମିତ କରୁଥିବା କରୋନା ଭାଇରସ୍ ଆବିଷ୍କୃତ ହୋଇଥିଲା। ଏହାକୁ ବ୍ରିଟେନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଦୁଇଟି ଅଲଗା ଅଲଗା ପଦ୍ଧତି ବ୍ୟବହାର କରି ପୃଥକୀକରଣ କରାଯାଇଥିଲା। ବ୍ରିଟିଶ ମେଡିକାଲ ରିସର୍ଚ୍ଚ କାଉନ୍ସିଲର ସାଧାରଣ ଥଣ୍ଡା ରୋଗ ବିଭାଗରେ କାର୍ଯ୍ୟରତ ତିନିଜଣ ବୈଜ୍ଞାନିକ ଯଥା ଇ.ସି. କେଣ୍ଡାଲ, ମାଲକୋନ୍ ବାୟୋନ୍ ଓ ଡେଭିଡ୍ ଟିରେଲ୍ ଜଣେ ବାଳକର ଶରୀରରୁ B୮୧୪ ନାମକ ଏକ ନଭେଲ କରୋନା ଭାଇରସ୍ର ସନ୍ଧାନ ପାଇଥିଲେ। ମାତ୍ର ପ୍ରାଥମିକ ପର୍ଯ୍ୟାୟରେ ଏହି ଭାଇରସ୍କୁ ସେ ସମୟରେ ଜଣାଥିବା ଅନ୍ୟ ଥଣ୍ଡା ଭାଇରସ୍ ଯଥା ଆଡେନୋଭାଇରସ୍, ରାଇନୋଭାଇରସ୍ ଭଳି ଗବେଷଣାଗାରରେ ପରିବର୍ଦ୍ଧନ କରିବା ସମ୍ଭବପର ହୋଇ ନ ଥିଲା।
ପରବର୍ତ୍ତୀ ୧୯୬୫ ମସିହାରେ, ସେମାନେ ମନୁଷ୍ୟର ଶ୍ବାସନଳୀରେ ଉପଲବ୍ଧ ପୋଷକତତ୍ତ୍ବକୁ ବ୍ୟବହାର କରି ଏହି ଭାଇରସ୍କୁ ସଫଳତାର ସହ ଗବେଷଣାଗାରରେ ପରିବର୍ଦ୍ଧନ କରିପାରିଲେ। ଏହି ଭାଇରସ୍କୁ ସ୍ବେଚ୍ଛାସେବୀମାନଙ୍କଠାରେ ପ୍ରୟୋଗ କରାଯିବାରୁ ତାହା ଥଣ୍ଡା, ସର୍ଦ୍ଦି ଭଳି ସାଧାରଣ ଲକ୍ଷଣ ସୃଷ୍ଟି କରୁଥିବାର ଏବଂ ଏହାକୁ ଇଥର ପ୍ରୟୋଗ ଦ୍ବାରା ନିଷ୍କ୍ରିୟ କରାଯାଇ ପାରୁଥିବାର ଲକ୍ଷ୍ୟ କରାଗଲା। ଫଳରେ ଏହି ଭାଇରସର ଲିପିଡରେ ଗଢ଼ା ଏକ ଖୋଳପା ରହିଥିବାର ଜଣାପଡ଼ିଲା। ସେହି ସମୟରେ ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟର ଦୁଇଜଣ ବୈଜ୍ଞାନିକ ଯଥା ଡୋରୋଥି ହାମରିଣ୍ଡ ଏବଂ ଜନ୍ ପ୍ରୋକନୋ ଜଣେ ଡାକ୍ତରୀ ଛାତ୍ରଙ୍କ ଶରୀରରୁ ୨୨୯E ନାମକ ଏକ ନଭେଲ କରୋନା ଭାଇରସ୍ର କିସମ ସନ୍ଧାନ କରି ତାହାକୁ ମନୁଷ୍ୟର ବୃକ୍କ ଟିସୁରେ ମିଳୁଥିବା ପୋଷକତତ୍ତ୍ବ ମାଧ୍ୟମରେ ରଖି ପରିବର୍ଦ୍ଧନ କରିବାରେ ସକ୍ଷମ ହୋଇଥିଲେ। ଏହା ପୂର୍ବ ଭାଇରସ୍ ଭଳି ମନୁଷ୍ୟ ଶରୀରରେ ସାଧାରଣ ଥଣ୍ଡା ରୋଗ ସୃଷ୍ଟି କରୁଥିବାର ତଥା ଇଥର ପ୍ରୟୋଗ ଦ୍ବାରା ନିଷ୍କ୍ରିୟ ପାଲଟି ଯାଉଥିବାର ଲକ୍ଷ୍ୟ କରାଗଲା।
କରୋନା ଭାଇରସ୍ର ଏହି ଦୁଇଟି କିସମ ଯଥା B୮୧୪ and ୨୨୯E କୁ ପରବର୍ତ୍ତୀ ୧୯୬୭ ମସିହାରେ ସ୍କଟଲାଣ୍ଡର ଜଣେ ଭୂତାଣୁବିଜ୍ଞାନୀ ଜୁନ୍ ଆଲମିଡାଙ୍କ ଦ୍ବାରା ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଇଲେକ୍ଟ୍ରନ୍ ମାଇକ୍ରୋସ୍କୋପ ଯନ୍ତ୍ର ଜରିଆରେ ପ୍ରତିଛବି ସୃଷ୍ଟି କରାଗଲା। ଏହି ଇଲେକ୍ଟ୍ରନ୍ ପ୍ରତିଛବିକୁ ଆଧାର କରି ଆଲମିଡା ଦର୍ଶାଇଲେ ଯେ, ଏହି ଭାଇରସ୍ଦ୍ବୟଙ୍କ ବାହାର ପୃଷ୍ଠରେ କଣ୍ଟା ସଦୃଶ ଅଙ୍ଗମାନ ଅଛି। ସେ ମଧ୍ୟ ଏହି ଦୁଇ ଭାଇରସ୍ଙ୍କ ମଧ୍ୟରେ ଆହୁରି ଅନେକ ସାମଞ୍ଜସ୍ୟତା ଦର୍ଶାଇଲେ। ଏହି ଦୁଇ ଭାଇରସ୍ଙ୍କ ଶାରୀରିକ ଗଠନ ଦୃଷ୍ଟିକୋଣରୁ ବ୍ରୋଙ୍କାଇଟିସ୍ ଭାଇରସ୍ ସହିତ ସମାନତା ରହିଥିବାର ଜଣାପଡ଼ିଲା I
ସେହି ବର୍ଷ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ଦଳେ ଗବେଷକ ଅର୍ଗାନ କଲଚର ପଦ୍ଧତି ବ୍ୟବହାର କରି ଆଉ ଗୋଟିଏ ନୂତନ କିସମ ଭାଇରସ୍ OC୪୩ ର ସନ୍ଧାନ ପାଇଲେ। ପୂର୍ବୋକ୍ତ ତିନି ଭାଇରସ୍ ଯଥା B୮୧୪, ୨୨୯E ଏବଂ IBV ଭଳି OC୪୩ ଭାଇରସ୍ର ଶରୀରର ବାହାର ପୃଷ୍ଠରେ କଣ୍ଟା ସଦୃଶ ଅଙ୍ଗମାନ ରହିଥିବାର ଇଲେକ୍ଟ୍ରନ୍ ମାଇକ୍ରୋସ୍କୋପ୍ ଯନ୍ତ୍ରରେ ଲକ୍ଷ୍ୟ କରାଗଲା।
IBV ସଦୃଶ ଏହି ଭାଇରସ୍ ସବୁ ମୂଷା ଶରୀରରେ ହେପାଟାଇଟିସ୍ ରୋଗ ସୃଷ୍ଟି କରୁଥିବା ଭାଇରସ୍ ସହିତ ବାହ୍ୟ ଗଠନ ଦୃଷ୍ଟିରୁ ସମାନ ହୋଇଥିବା ଜଣା ପଡ଼ିଲା। ଏ ସବୁର ପୃଷ୍ଠରେ ସୂର୍ଯ୍ୟର ବାହାର ପୃଷ୍ଠ ସଦୃଶ କଣ୍ଟା ଭଳି ଅଙ୍ଗମାନ ଥିବାରୁ ଏଗୁଡ଼ିକୁ କରୋନା ଭାଇରସ୍ କୁହାଗଲା। ପରବର୍ତ୍ତୀ ଦଶକରେ ମନୁଷ୍ୟକୁ ସଂକ୍ରମଣ କରୁଥିବା ଦୁଇ କରୋନା ଭାଇରସ୍ କିସମ ଯଥା ୨୨୯E ଏବଂ OC୪୩ କୁ ଗବେଷଣାଗାରରେ କ୍ରମାଗତ ଅଧ୍ୟୟନ କରାଗଲା। ଦୁର୍ଭାଗ୍ୟକ୍ରମେ ଏକ କରୋନା ଭାଇରସ୍ କିସମ ଯଥା B୮୧୪ ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ଏବେକାର କେଉଁ କରୋନା ଭାଇରସ୍ ରୂପକୁ ବିବର୍ତ୍ତିତ ହୋଇଛି ତାହା ଠିକ୍ ଭାବେ ଜଣାନାହିଁ। ପରବର୍ତ୍ତୀ ସମୟରେ ଅନ୍ୟ କରୋନା ଭାଇରସ୍ କିସମ ଯଥା- SARS-CoV (୨୦୦୩), HCoV NL୬୩ (୨୦୦୪), HCoV HKU୧ (୨୦୦୫) ଏବଂ MERS-CoV (୨୦୧୨) ଆବିଷ୍କୃତ ହୋଇଛନ୍ତି। ସେହିପରି, ୧୯୬୦ ମସିହା ପରଠାରୁ ଜୀବଜନ୍ତୁଙ୍କୁ ସଂକ୍ରମିତ କରୁଥିବା ଅନେକ କରୋନା ଭାଇରସ୍ର କିସମ ଆବିଷ୍କୃତ ହୋଇଛି।
ଏବେକାର କରୋନା ଭାଇରସ୍ର ପ୍ରକୃତ ନାମ SARS-CoV-୨। ଏହା ଗତ ୨୦୧୯ ମସିହା ଡିସେମ୍ବର ମାସରେ ଚାଇନାର ଉହାନ୍ ସହରରୁ ଆବିଷ୍କୃତ ହୋଇଛି। ଏହା ମୁଖ୍ୟତଃ ଆର୍.ଏନ୍.ଏ. (କ୍ଷେତ୍ରରେ SARS, MERS ଓ COVID-୧୯ ଭଳି ରୋଗମାନ ଉତ୍ପନ୍ନ କରାଇଥାଏ। ଅନ୍ୟ ଜୀବଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଲକ୍ଷଣ ପ୍ରକାଶିତ ହୋଇଥାଏ: ଯେପରି କୁକୁଡ଼ାଛୁଆଙ୍କ କ୍ଷେତ୍ରରେ (RNA) ଗଢ଼ା, ଯାହା ସ୍ତନ୍ୟପାୟୀ ତଥା ପକ୍ଷୀଙ୍କଠାରେ ରୋଗ ସଂକ୍ରମଣ ସୃଷ୍ଟି କରିଥାଏ। ଏହି ଭାଇରସ୍ ମନୁଷ୍ୟ ଶରୀରର ଶ୍ବାସନଳୀରେ ସଂକ୍ରମଣ କରିଥାଏ, ଯାହା ସାମାନ୍ୟରୁ ମାରାତ୍ମକ ହୋଇପାରେ। ସାମାନ୍ୟ ସଂକ୍ରମଣରେ ଥଣ୍ଡା, ସର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଉଥିଲାବେଳେ ମାରାତ୍ମକ ଉପର ଶ୍ବାସନଳୀ ସଂକ୍ରମଣ ପରିଲକ୍ଷିତ ହେଉଥିବାବେଳେ ଗୋରୁ ତଥା ଘୁଷୁରିଙ୍କଠାରେ ଡାଇରିଆ ଭଳି ଲକ୍ଷଣ ପ୍ରକାଶିତ ହୋଇଥାଏ। ଦୁର୍ଭାଗ୍ୟବଶତଃ, କରୋନା ଭାଇରସ୍ର ମୁକାବିଲା ନିମନ୍ତେ ଏପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟିକା କିମ୍ବା ଆଣ୍ଟି-ଭାଇରାଲ ଔଷଧ ବିକଶିତ ହୋଇପାରି ନାହିଁ।
ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮