ମହାମାରୀ ସମୟରେ କରୋନା ଯୋଦ୍ଧା ଗଧକୁ କରୁଛନ୍ତି ଆପଣାର, କାରଣ ଜାଣିଲେ ହେବେ ଚକିତ

ମାଡ୍ରିଡ୍‌,୨୨ା୧୦: ସମଗ୍ର ବିଶ୍ୱବାସୀ କରୋନା ପରି ଏକ ମାରାତ୍ମକ ମହାମାରୀ ସହ ଲଢୁଛନ୍ତି। ଦୀର୍ଘଦିନ ଧରି ଏହି ସଂଗ୍ରାମରେ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ନର୍ସମାନେ ଦିନରାତି କାମ କରି ଚାଲିଛନ୍ତି। ଫଳରେ ଏହି କର୍ମଚାରୀମାନେ ବର୍ତ୍ତମାନ ଅବସାଦର ଶିକାର ହେଉଛନ୍ତି। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ସ୍ପେନର ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ନର୍ସମାନେ ଗଧକୁ ଆପଣାର କରିଛନ୍ତି।
ଏହାର କାରଣ ହେଲା ଗଧ ଉଦାସୀନତା ଏବଂ ଚାପରୁ ମୁକ୍ତି ଦେଇଥାଏ। ସ୍ପେନରେ ଡାକ୍ତର ଏବଂ କର୍ମଚାରୀଙ୍କୁ ମାଗଣା ଗଧ ଚିକିତ୍ସା ଦିଆଯାଉଛି। ଯାହା ଦ୍ୱାରା ସେମାନେ ଚାପମୁକ୍ତ ହୋଇପାରିବେ। ଏହା ପ୍ରାଣୀ ସହାୟକ ଚିକିତ୍ସା ଭାବରେ ଜଣାଶୁଣା। ଏହି ଚିକିତ୍ସା ପଦ୍ଧତିରେ ଗଧ ଚାପ, ଉଦାସୀନତା, ଚିନ୍ତା ସହିତ ଶାରୀରିକ ଏବଂ ମାନସିକ ବିକୃତି ଦୂର କରିବାରେ ସାହାଯ୍ୟ କରେ। ଏହି ଚିକିତ୍ସା ସମୟରେ ମାନସିକସ୍ତରରେ ବିଚଳିତ ଲୋକମାନେ ଗଧକୁ ଆଲିଙ୍ଗନ କରନ୍ତି ଏବଂ ସେମାନେ ଆରାମ ଅନୁଭବ କରନ୍ତି।

ଏଥିପାଇଁ ‘ଦି ହାପି ଲିଟିଲ ଡଙ୍କି’ ନାମକ ଏକ ସେବା ସଂଗଠନ କାମ ରୁଛି। ଏହି ସଂଗଠନରେ ୨୩ଟି ଗଧ ରହିଛି। ଯାହା ଆଲଜାଇମର ରୋଗୀ ଏବଂ ଏହିପରି ସମସ୍ୟା ଥିବା ପିଲାମାନଙ୍କ ସହିତ ଏହା କାମ କରୁଛି। ଏହି ପ୍ରକାର ଚିକିତ୍ସା ଘୋଡ଼ା ସହିତ ମଧ୍ୟ ଜଡ଼ିତ। ବିଶେଷଜ୍ଞମାନେ କହିଛନ୍ତି ଯେ, ଗଧଙ୍କର ଶାନ୍ତ ସ୍ବଭାବ ଏବଂ ବ୍ୟକ୍ତିଗତ ସ୍ଥାନ ପ୍ରତି ଅନ୍ତର୍ନିହିତ ସମ୍ମାନର ଭାବନାକୁ ଦୃଷ୍ଟିରେ ରଖି ଗଧମାନେ ମାନସିକ କିମ୍ବା ଭାବାତ୍ମକ ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରନ୍ତି।

ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ୨୫ ବର୍ଷର ମୋର୍ଲେସ କୁହନ୍ତି, ପରିସ୍ଥିତି ପୂର୍ବ ଅପେକ୍ଷା ବହୁତ ଖରାପ। ଆମେ ପୂର୍ବରୁ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲୁ ବର୍ତ୍ତମାନ ତାହା ପୁଣି ଘଟୁଛି। କାରଣ ସ୍ପେନ୍‌ରେ ପୁଣି କରୋନା ଭୂତାଣୁ ଚିହ୍ନଟ ହୋଇଛି। ଫଳରେ ସେ ଦେଶର ଅନ୍ୟ ଏକ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ରୋଗୀମାନଙ୍କର ନିରନ୍ତର ଚିକିତ୍ସା ଏବଂ ଅଧିକରୁ ଅଧିକ ଅସୁସ୍ଥତା ହେତୁ ଡାକ୍ତରମାନେ ମଧ୍ୟ ଚାପରେ ରହୁଛନ୍ତି। ତେଣୁ ଗଧମାନଙ୍କ ସହାୟତା ନେଉଛନ୍ତି।

କରୋନା ଭୂତାଣୁ ସହ ଲଢୁଥିବା ଲୋକଙ୍କୁ ମୁକ୍ତ କରିବା ପାଇଁ ଏହି ଯୋଜନା ଜୁନ୍‌ ଶେଷରେ ଆରମ୍ଭ ହୋଇଥିଲା। କରୋନା ଭୂତାଣୁ ଯୋଗୁ ସ୍ପେନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୩୪୦୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି।

Share