ସଂଘାଇ ପରେ ଏବେ ବେଜିଂ ପାଳି: ହେବ ଲକ୍‌ଡାଉନ

ବେଜିଂ,୫।୫: ଗୋଟିଏ ପଟେ ସାରା ବିଶ୍ୱରେ ଯେଉଁଠି କରୋନା ନିୟନ୍ତ୍ରଣରେ ଆସୁଥିବା ବେଳେ କିନ୍ତୁ ଏନ୍ତୁଡିଶାଳ କୁହାଯାଉଥିବା ଚାଇନାର ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି। ଚାଇନାର ସଂଘାଇ ପରେ ଏବେ ରାଜଧାନୀ ବେଜିଂରେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ବେଜିଂର ସ୍କୁଲ, ରେଷ୍ଟୁରାଣ୍ଟ, ବ୍ୟବସାୟ ବ୍ୟତୀତ ଅନେକ ମେଟ୍ରୋ ଷ୍ଟେସନ୍‌କୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ, ଲୋକଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଫଳରେ କରୋନା କବଳରୁ ଲୋକମାନେ ବର୍ତ୍ତିପାରିବେ। ଅନ୍ୟପଟେ ବେଜିଂରେ ଜିରୋ କୋଭିଡ ନୀତିି ଆଧାରରେ ବ୍ୟାପକ ପରୀକ୍ଷଣ କରାଯାଉଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ଭଳି ପ୍ରତିବନ୍ଧକ ମଧ୍ୟ ଲାଗୁ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ବେଜିଂରେ ୫୦ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ବେଜିଂର ଚ୍ୟାଙ୍ଗ ଓ ଟୋଙ୍ଗଝାଉ ଜିଲାରେ ଲୋକଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ କରିବାକୁ ପରାମର୍ଶ ଦିଆଯାଇଛି। ଚ୍ୟାଙ୍ଗ ଜିଲାରେ ପ୍ରାୟ ୩୫ଲକ୍ଷ ଲୋକ ବାସ କରୁଥିବା ବେଳେ ସେମାନଙ୍କୁ ଭିଡ଼ରୁ ଦୂରେଇ ରହିବାକୁ କୁହାଯାଇଛି। ସେହିପରି ଟୋଙ୍ଗଝାଉରେ ଅନେକ ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି।

Share