ଚାଇନାରେ କରୋନା ଅଣାୟତ୍ତ: ୭ ଦିନରେ ୩୦ ଲକ୍ଷରୁ ଅଧିକ ଆକ୍ରାନ୍ତ…

ବେଜିଂ,୩।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ବଢୁଥିବା ମାମଲା ମଧ୍ୟରେ ବେଜିଂ ମଧ୍ୟ ସ୍ବୀକାର କରିଛି ଯେ କରୋନା ସଂକ୍ରମଣକୁ ଟ୍ରାକ କରିବା ଅସମ୍ଭବ ହୋଇପଡିଛି। ଜାତୀୟ ସ୍ବାସ୍ଥ୍ୟ ଆୟୋଗ ମଧ୍ୟ କରୋନାରୁ ମୃତ୍ୟୁ ସଂଖ୍ୟା ଦେବା ବନ୍ଦ କରି ଦେଇଛନ୍ତି। ଏହାର ଦାୟିତ୍ୱ ଚାଇନାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ (ସିଡିସି)କୁ ପ୍ରଦାନ କରାଯାଇଛି।

ଗତ ୭ ଦିନ ମଧ୍ୟରେ ୩୦ ଲକ୍ଷରୁ ଅଧିକ କରୋନା ମାମଲା ଆସିଛି ଏବଂ ଏହି ସମୟ ମଧ୍ୟରେ ୯୮୪୭ ଜଣଙ୍କର ମୃତ୍ୟୁ ହୋଇଛି। ଚାଇନାର ସିଚୁଆନର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଏକ ସର୍ଭେ କରିଛି। ଏହି ସର୍ଭେରେ କୁହାଯାଇଛି ଯେ ସିଚୁଆନରେ ୬୪ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ୨୮ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ମିଳିତ ଭାବେ ଏହା ପ୍ରାୟ ୯୨ ପ୍ରତିଶତ। ଏଥି ସହିତ, ସିଚୁଆନରେ ୭୦ ପ୍ରତିଶତ ଲୋକଙ୍କଠାରେ ଜ୍ୱରର ଲକ୍ଷଣ ଦେଖିବାକୁ ମିଳିଛି। ସର୍ବେକ୍ଷଣରେ କୁହାଯାଇଛି ଯେ କେବଳ ସିଚୁଆନ ପ୍ରଦେଶରେ ପ୍ରାୟ ସାତ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

ବ୍ରିଟେନର ରିସର୍ଫ ଫାର୍ମ ଏୟାରଫିନିଟି ଅନୁଯାୟୀ କରୋନାର ଏହି ଲହର ଏପର୍ଯ୍ୟନ୍ତ ଚାଇନାରେ ଶୀର୍ଷରେ ପହଞ୍ଚି ନାହିଁ। ଜାନୁଆରୀ ୧୩ ରେ ପ୍ରଥମ ଶୀର୍ଷ ସ୍ଥିତି ଆସିବାର ଆଶଙ୍କା ରହିଛି। ସେତେବେଳେ ଚାଇନାରେ ଅତି କମରେ ୩୭ ଲକ୍ଷ ଲୋକ ଗୋଟିଏ ଦିନରେ ସଂକ୍ରମିତ ହେବେ। ଏହା ବ୍ୟତୀତ ଗୋଟିଏ ଦିନରେ ପ୍ରାୟ ୨୫ ହଜାର ଲୋକ ମରିବେ।

କମ୍ପାନୀର ବିଶ୍ଳେଷଣ ଅନୁଯାୟୀ ୨୦୨୨ ଡିସେମ୍ବରରୁ ୨୦୨୩ ଜାନୁୟାରୀ ମଧ୍ୟରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୮୪ ହଜାର ହେବ। ଏଥି ସହିତ, ଏପ୍ରିଲ ଶେଷ ସୁଦ୍ଧା ଏହା ୧୭ଲକ୍ଷକୁ ବୃଦ୍ଧି ପାଇବ। ଯଦି କମ୍ପାନୀର ତଥ୍ୟକୁ ବିଶ୍ୱାସ କରାଯାଏ ତେବେ ଏହା ଅତ୍ୟନ୍ତ ଭୟଙ୍କର ସ୍ଥିତ ସୃଷ୍ଟି କରିବ।ଏୟାରଫିନିଟିର ମଡେଲ ଆଧାର ତଥ୍ୟ ଅନୁଯାୟୀ, ଶୂନ କୋଭିଡ ନୀତି କୋହଳ ହେବା ପରେ ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କୁହାଯାଇଛି ଯେ ଏହି ଲହରର ଦ୍ୱିତୀୟ ଶୀର୍ଷ ମାର୍ଚ୍ଚ ୩ ସୁଦ୍ଧା ଆସିପାରେ। ମେ ମାସରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବ। କମ୍ପାନୀ କହିଛି ଯେ କରୋନା ସଂକ୍ରମଣର ଶୀର୍ଷ ଚାଇନାର ରାଜଧାନୀ ବେଜିଂରେ ପହଞ୍ଚିଛି। ଆସନ୍ତା କିଛି ଦିନ ମଧ୍ୟରେ ଏଠାରେ ସର୍ବାଧିକ ମୃତ୍ୟୁ ଘଟିବାକୁ ଯାଉଛି।

Share