କରୋନା ଭାଇରସ ସଂକ୍ରମଣ: ଖୁବ୍‌ଶୀଘ୍ର ଆମେରିକାକୁ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ,୧୭ ।୯: ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । କିଛିଦିନ ହେବ ଲଗାତାର ଭାବେ ୨୪ ଘଣ୍ଟାରେ ୯୦ ହଜାର ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ସ୍ଥିତିରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଆଉ ଏହା ଦ୍ରୁତ ଗତିରେ ଏକ ନମ୍ବର ସ୍ଥାନରେ ପହଞ୍ଚିବାକୁ ଯାଉଛି । କାରଣ ଏବେ ଭାରତରେ ଦିନକୁୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି କୌଣସି ଦେଶରେ ଦିନକୁ ଏତେ ସଂଖ୍ୟାରେ ସଂକ୍ରମିତ ଦେଖାଯାଉ ନାହାଁନ୍ତି । ଏବେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ଅତିକ୍ରମ କରି ସାରିଲାଣି । ଆଉ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ସୁଦ୍ଧା ୫୧ ଲକ୍ଷ ଅତିକ୍ରମ କରି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ୯୭,୮୯୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସଂକ୍ରମଣ ସ୍ଥିତିରେ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ଅତିକ୍ରମ କରି ସାରିଲାଣି । ସାରା ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୭୫୩,୯୭୮ ଥିବା ବେଳେ ଏମାନଙ୍କ ମଧ୍ୟରୁ ୯,୩,୬୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ।

Share