୪,୮୦୦ରୁ ଅଧିକ ଆଇସ୍‌ କ୍ରିମ୍‌ ବାକ୍ସରେ କରୋନା ଭୂତାଣୁ

ବେଜିଂ,୧୬।୧: କରୋନା ସଂକ୍ରମଣ ନେଇ ଚାଇନାରେ ପୁଣି ଆତଙ୍କ ଦେଖାଦେଇଛି। ଏଠାରେ ୪,୮୩୬ ଆଇସ୍‌ କ୍ରିମ୍‌ ବାକ୍ସ୍‌ରେ କରୋନା ଭୂତାଣୁ ରହିଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଥିବା ତିଆନ୍‌ଜିିନ୍‌ ନଗର ପାଳିକାରେ ଥିବା ତିଆନ୍‌ଜିିନ୍‌ ଫୁଡ୍‌ କମ୍ପାନୀର ୩ଟି ପ୍ରକାର ଆଇସ୍‌ କ୍ରିମ୍‌ କରୋନା ସଂକ୍ରମିତ ହୋଇଥିବା କୁହାଯାଇଛି। ୪୫୦ ଗ୍ରାମ୍‌ ବିଶିଷ୍ଟ ଆଇସ୍‌ କ୍ରିମ୍‌ ବାକ୍ସ ସଂକ୍ରମିତ ହୋଇଛି। ସେଥିମଧ୍ୟରୁ ୨,୦୮୯ ବାକ୍ସକୁ ଷ୍ଟୋରେଜ୍‌ରେ ସିଲ୍‌ କରି ଦିଆଯାଇଛି। ଅପରପକ୍ଷରେ ସଂକ୍ରମିତ ଥିବା ୧,୮୧୨ ବାକ୍ସକୁ ଅନ୍ୟ ଅଞ୍ଚଳକୁ ପଠାଇ ଦିଆଯାଇଛି। ୯୩୫ ଆଇସ୍‌ କ୍ରିମ୍‌ ବାକ୍ସକୁ ସ୍ଥାନୀୟ ବଜାରକୁ ପଠାଯାଇଥିବାବେଳେ ୬୫ ବାକ୍ସର ବିକ୍ରି ହେଇ ସାରିଛି। ଏହି ଆଇସ୍‌ କ୍ରିମ୍‌ କେଉଁ ମାନେ ନେଇ ଖାଇଛନ୍ତି ଏବେ ତାହାର ତଦନ୍ତ ଆରମ୍ଭ ହୋଇଛି। ଆଇସ୍‌ କ୍ରିମ୍‌ କମ୍ପାନୀରେ କାମ କରୁଥିବା ୧,୬୬୨ କର୍ମଚାରୀଙ୍କୁ ଆଇସୋଲେଶନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଆତଙ୍କିତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଇସ୍‌ କ୍ରିମ୍‌ରେ ବ୍ୟବହୃତ ହେଉଥିବା ଚର୍ବିରେ କରୋନା ଭୂତାଣୁ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Share