ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟ ୨୦ କୋଟି ଟପିଲା

ନ୍ୟୁୟର୍କ,୬।୮:ସାରା ବିଶ୍ୱରେ କରୋନା ମହାମାରୀ ବିସ୍ତାର କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି ଯେ ସବୁଠାରୁ ସଂକ୍ରାମକ ବୋଲି ବିଶ୍ୱାସ କରାଯାଉଥିବା କରୋନାର ଡେଲ୍ଟା ଭାରିଏଣ୍ଟ ଭାରତ ସମେତ ୧୩୫ ଟି ଦେଶରେ ଦେଖିବାକୁ ମିଳିଛି। ଏଥି ସହିତ, ଗତ ଜୁଲାଇ ୨୬ରୁ ଅଗଷ୍ଟ ୧ ମଧ୍ୟରେ ୪୦ ଲକ୍ଷ ନୂତନ ରୋଗୀ ସାରା ବିଶ୍ୱରେ ଚିହ୍ନଟ ହୋଇଛନ୍ତି।ନ୍‌ ଡବ୍ଲ୍ୟୁଏଚ୍‌ଓ କହିଛି ଯେ ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସ କହିଛନ୍ତି ଯେ, କରୋନାର ୩୭ ପ୍ରତିଶତ ପୂର୍ବ ଭୂମଧ୍ୟସାଗରରେ ଏବଂ ୩୩ ପ୍ରତିଶତ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳୁଛି। ସେହିଭଳି ଦକ୍ଷିଣ ପୂର୍ବ ଏସିଆରେ ସଂକ୍ରମଣ କ୍ଷେତ୍ରରେ ନଅ ପ୍ରତିଶତ ବୃଦ୍ଧି ହୋଇଛି।
ଡବ୍ଲ୍ୟୁଏଚ୍‌ଓ ଚେତାବନୀ ଦେଇଛି ଯେ ଯଦି ସଂକ୍ରମଣର ଗତି ଏହିପରି ଜାରି ରହେ, ତେବେ ଆସନ୍ତା ସପ୍ତାହରେ ବିଶ୍ୱର ମୋଟ ରୋଗୀଙ୍କ ସଂଖ୍ୟା ୨୧ କୋଟି ଅତିକ୍ରମ କରିବ। ଏଥିସହ ମୃତ୍ୟୁସଂଖ୍ୟା ୪୨ ଲକ୍ଷରୁ ଅଧିକ ହୋଇଛି। ଡବ୍ଲ୍ୟୁଏଚ୍‌ଓ ଅନୁଯାୟୀ, ଗତ ସପ୍ତାହରେ ମୃତ୍ୟୁ ହାରରେ ଆଠ ପ୍ରତିଶତ ହ୍ରାସ ଘଟିଛି। ଗତ ସପ୍ତାହରେ ସାରା ବିଶ୍ୱରେ ୬୪ ହଜାର କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା।

Share