ମହାରାଷ୍ଟ୍ରରେ ସର୍ବାଧିକ କରୋନା ବର୍ଜ୍ୟ

ନୂଆଦିଲ୍ଲୀ,୧୧।୧: ଦେଶର ଗତ ୭ ମାସ ମଧ୍ୟରେ ୩୨ ହଜାର ୯୯୪ ଟନ୍‌ କରୋନା ବର୍ଜ୍ୟ ଜମା ହୋଇଛି। ସେଥିମଧ୍ୟରେ ପିପିଇ କିଟ୍‌, ମାସ୍କ୍‌, ଜୋତା କଭର, ଗ୍ଲୋଭସ୍‌, ପରୀକ୍ଷା କରାଯାଇଥିବା ରକ୍ତ ଏବଂ ଶରୀରର ଅନ୍ୟ ବର୍ଜ୍ୟ ପଦାର୍ଥ ରହିଛି। ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ଗତ ୭ ମାସ ମଧ୍ୟରେ ସର୍ବାଧିକ ୩,୫୮୭ ଟନ୍‌ ବର୍ଜ୍ୟ ପଦାର୍ଥ ଜମା ହୋଇଛି। ୨୦୨୦ ଅକ୍ଟୋବରରେ ଦେଶରେ ଅଧିକ ବର୍ଜ୍ୟ ପଦାର୍ଥ ଜମା ହୋଇଛି। ଏହି ମାସରେ ୫,୫୦୦ ଟନ୍‌ ବର୍ଜ୍ୟ ପଦାର୍ଥ ସଂଗ୍ରହ କରାଯାଇଛି। ଜୁନ୍‌ ପରେ ମହାରାଷ୍ଟ୍ରରୁ ୫,୩୬୭ ଟନ୍‌, କେରଳରେ ୩,୩୦୦ ଟନ୍‌, ଗୁଜରାଟରେ ୩,୦୮୬ ଟନ୍‌, ତାମିଲନାଡୁରେ ୨,୮୦୬ ଟନ୍‌, ଉତ୍ତରପ୍ରଦେଶରେ ୨,୫୦୨ ଟନ୍‌, ଦିଲ୍ଲୀରେ ୨,୪୭୧ ଟନ୍‌, ପଶ୍ଚିମବଙ୍ଗରେ ୨,୦୯୫ ଟନ୍‌, କର୍ନାଟକରେ ୨,୦୨୬ ଟନ୍‌ ବର୍ଜ୍ୟ ପଦାର୍ଥ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟର ପ୍ରଦୂଷଣ ବୋର୍ଡରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଦେଶର ୧୯୮ଟି କମନ୍‌ ବାୟୋ-ମେଡ଼ିକାଲ ଓ୍ବେଷ୍ଟ ଟ୍ରିଟ୍‌ମେଣ୍ଟ୍‌ ଆଣ୍ଡ୍‌ ଡିସ୍ପୋଜାଲ୍‌ ଫାସିଲିଟି( ସିବିଡବ୍ଲ୍ୟୁଟିଏଫ୍‌) କେନ୍ଦ୍ରରେ ଏସବୁ ବର୍ଜ୍ୟକୁ ଏକତ୍ରୀକରଣ କରାଯାଇ ରି-ସାଇକ୍ଲିଂ କରାଯାଉଛି।

Share