କୋର୍ଟରେ କରୋନା ସଂକ୍ରମଣ

ପାନିପଥ, ୫।୭: ହରିୟାଣାର ଗୁଡ଼ଗାଓଁ କୋର୍ଟରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କୋର୍ଟର ଜଣେ ମହିଳା ବିଚାରପତିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସମ୍ପୃକ୍ତ ବିଚାରପତିଙ୍କୁ ୧୪ ଦିନ ଛୁଟି ମଞ୍ଜୁର କରାଯାଇ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ସେଶନ ଜଜ୍‌ ମହିଳା ବିଚାରପତିଙ୍କୁ ଏହି ସମୟ ମଧ୍ୟରେ କୋର୍ଟକୁ ନ ଆସିବା ଲାଗି କହିଛନ୍ତି। ମହିଳା ବିଚାରପତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୬୦ରେ ପହଞ୍ଚିଛି। ରାଜ୍ୟରେ ୩,୭୪୯ ଜଣ ଆକ୍ରାନ୍ତ ହୋମ୍‌ ଆଇସୋଲେଶନ ନିୟମର ଉଲ୍ଲଂଘନ କରିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ଉପରେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ହୋମ୍‌ ଆଇସୋଲେଶନରେ ଥିବା ୧୦୬୦ ଜଣ ଆକ୍ରାନ୍ତଙ୍କ ସହିତ କୌଣସି ଯୋଗାଯୋଗ କରିବା ସମ୍ଭବ ହୋଇପାରୁ ନ ଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share